ଭୁ‌ବନେଶ୍ବର/କଟକ/ଯାଜପୁର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯୁବ ବୟସରେ ସ୍ବାଧିନତା ଆନ୍ଦୋଳନରେ ଯୋଗ ଦେଇ ସେ କାରାବରଣ କରିଥିଲେ। ଦେଶର ସ୍ବାଧିନତା ପାଇଁ ତାଙ୍କର ତ୍ୟାଗ ତାଙ୍କୁ ସ୍ମରଣୀୟ କରି ରଖିବ। ସ୍ବାଧିନତା ପରେ ମଧ୍ୟ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସେ ଦେଶର ଯୁବ ସମାଜକୁ ସେବା ଓ ଦେଶପ୍ରେମର ବାର୍ତ୍ତା ଦେଇ ଆସିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତାଙ୍କ ବିୟୋଗରେ ଜଣେ ବିଶିଷ୍ଟ ସଂଗ୍ରାମୀଙ୍କୁ ଆମେ ହରାଇଲୁ ବୋଲି ସେ କହିଛନ୍ତି। ସ୍ବର୍ଗତ ନାୟକଙ୍କ ଶେଷ କୃତ୍ୟ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି।

Advertisment

ନୀଳମଣି ସାମଲଙ୍କ ୧୦୨ ବର୍ଷ ବୟସରେ କଟକ ବଡ଼ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ବୟସାଧିକ୍ୟ କାରଣରୁ ସେ ଗତ ୨୪ ତାରିଖ ଠାରୁ ମେଡିସିନ ବିଭାଗର ଆଇସିୟୁରେ ୩ ଦିନ ଧରି ଚିକିତ୍ସିତ ହେଉଥିଲେ। ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ ସ୍ବାଧୀନତା ସଂଗ୍ରାମୀ ରାଜ୍ୟ ସଭାପତି ଥିଲେ।

ସ୍ବର୍ଗତ ନୀଳମଣି ସାମଲ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ ବାଲିପଡ଼ିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସ୍ୱାଧୀନତା ସଂଗ୍ରାମ ବେଳେ ସେ ୩ ବର୍ଷ ଜେଲରେ ରହିଥିଲେ। ଏହାସହ ସେ ଦୁଇଥର ରାଷ୍ଟ୍ରପତି ପୁରସ୍କାର ମଧ୍ୟ ପାଇଥିଲେ। 

ସୂଚନାଯୋଗ୍ୟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ ଗୁରୁତର ଅସୁସ୍ଥ ହେବା ପରେ ଗତ ୨୪ ତାରିଖ ଦିନ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ବ୍ୟବସ୍ଥା କରିଥିଲେ। ଜିଲ୍ଲାପାଳଙ୍କ ପରାମର୍ଶରେ ୧୦୮ ଆମ୍ବୁଲାନ୍ସ ଯୋଗେ ଶ୍ରୀ ସାମଲଙ୍କୁ ତାଙ୍କ ବାସଭବନରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ କଟକ ସ୍ଥାନାନ୍ତରିତ କରାଯାଇଥିଲା।