‘କାଳିଆ’ ଯୋଜନାର ଅପପ୍ରଚାର ହେଉଛି, ଟଙ୍କା ଫେରାଇବାକୁ ପଡ଼ିବନି: ମୁଖ୍ୟମନ୍ତ୍ରୀ ନବୀନ

ଖୋର୍ଦ୍ଧା: ରାଜ୍ୟ ସରକାରଙ୍କ ଚାଷୀ ଉପଯୋଗୀ ଯୋଜନା ‘କାଳିଆ’ ବିରୋଧରେ କିଛି ଲୋକ ଅପପ୍ରଚାର କରୁଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ଚାଷୀଙ୍କୁ ସହାୟତା ଦିଆଯାଉଥିବା ଟଙ୍କା ଫେରାଇବାକୁ ପଡ଼ିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ବୁଧବାର କହିଛନ୍ତି। ଖୋର୍ଦ୍ଧା ଜିଲ୍ଲାର ଗୋଶାଳା ପଡ଼ିଆ ଠାରେ ନବୀନ କହିଛନ୍ତି, ମହିଳା ଓ ଯୁବଗୋଷ୍ଠୀର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ସେମାନଙ୍କର ବିକାଶ ହେଲେ ରାଜ୍ୟର ପ୍ରକୃତ ଉନ୍ନତି ହେବ।

ବିଜୁ ଯୁବ ବାହିନୀର ଆଂଚଳିକ ସମାବେଶରେ ଯୋଗଦେଇ ସ୍ୱେଚ୍ଛାସେବୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି, ସେବା ହେଉଛି ଓଡ଼ିଆ ଲୋକଙ୍କର ଧର୍ମ। ସେବା ପାଇଁ ରାଜ୍ୟର ନାଁ ରହିଛି। ସ୍ୱଚ୍ଛ ମନୋଭାବ ନେଇ ବିଜୁ ଯୁବବାହିନୀରେ କାମ କରୁଥିବା ଯୁବପୀଢ଼ିଙ୍କୁ ଧନ୍ୟବାଦ ଜଣାଉଛି। ବିଜୁ ଯୁବ ବାହିନୀର କର୍ମୀମାନେ ରାଜ୍ୟର ବିକାଶରେ ଭାଗିଦାରୀ ହୁଅନ୍ତୁ।

ରାଜ୍ୟ ସରକାର ମିଶନ ଶକ୍ତି ପାଇଁ ବିଭିନ୍ନ ବିକାଶ ମୂଳକ କାମ କରୁଛନ୍ତି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ରିହାତି ଦରରେ ଋଣ ଯୋଗାଇ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା, ବାଲିପାଟଣା, ଭୁବନେଶ୍ୱର, ଜଟଣୀ, ଖୋର୍ଦ୍ଧା, ବାଙ୍କୀ, ବେଗୁନିଆ, ବୋଲଗଡ଼, ଚିଲିକା ଏବଂ ବାଣପୁର ପାଇଁ ୮୦ଟି ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ଏହି ପ୍ରକଳ୍ପ ଗୁଡ଼ିକରେ ୨୦୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ନବୀନ ୪୬୬ କୋଟି ୧୮ ଲକ୍ଷ ଟଙ୍କା ବିନିଯୋଗରେ ୬୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ସମ୍ବନ୍ଧିତ ଖବର