ଭୁବନେଶ୍ୱର: ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ହେଉଛନ୍ତି କୋଭିଡ୍ ଯୋଦ୍ଧା। କୋଭିଡ୍ ଯୋଦ୍ଧାମାନେ ଲୋକଙ୍କ ଜୀବନ ବଂଚାଇ ରଖିବା ପାଇଁ ଲଢ଼େଇ ଜାରି ରଖିଛନ୍ତି। ତେଣୁ ଡାକ୍ତରଙ୍କ ପରି ବ୍ୟାଙ୍କ କର୍ମଚାରୀଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। କୋଭିଡ ପରିଚାଳନା ନେଇ ସମୀକ୍ଷାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଏହା କହିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ କୋଭିଡ୍ ସମୟରେ ପ୍ରାଣ ହରାଇଥିବା ବ୍ୟାଙ୍କ କର୍ମଚାରୀଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ। ଯେଉଁ ବ୍ୟାଙ୍କ କର୍ମଚାରୀମାନେ ନିଜ ଜୀବନ ପ୍ରତି ଥିବା ବିପଦକୁ ଖାତିର ନ କରି କରୋନା ସମୟରେ କାର୍ଯ୍ୟ ଜାରି ରଖିଛନ୍ତି ସେମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ।
ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଭିଡ ସଂକଟ ସମୟରେ ଭଲ ପ୍ରଦର୍ଶନ କରୁଥିବା ବ୍ୟାଙ୍କଗୁଡ଼ିକୁ ସମ୍ମାନିତ କରାଯିବ। ଅର୍ଥନୀତିର ପୁନଃଉଦ୍ଧାର ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି।
ଚାଷୀମାନଙ୍କ ପାଇଁ ସରକାର ୬୦୦ କୋଟି ଟଙ୍କା ମଂଜୁରୀ କରିଛନ୍ତି। ବିନା ସୁଧରେ ୫୦ ହଜାର ଯାଏଁ କୃଷକଙ୍କୁ ଋଣ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି। ସେହିପରି ୩ ଲକ୍ଷ ଯାଏଁ ୨ ପ୍ରତିଶତ ସୁଧରେ ଋଣ ବ୍ୟବସ୍ଥା ହୋଇଛି। ଭାଗଚାଷୀଙ୍କ ସୁବିଧା ପାଇଁ ବଳରାମ ଯୋଜନା ରହିଛି। ମିଶନ ଶକ୍ତି ଓ ମହିଳା ଏସ୍ଏଚଜି ପାଇଁ ୩ ଲକ୍ଷ ଟଙ୍କା ଯାଏଁ ବିନା ସୁଧରେ ଋଣ ପ୍ରଦାନ କରାଯାଉଛି ବୋଲି ନବୀନ କହିଛନ୍ତି।