ମମିତା ପ୍ରସଙ୍ଗ: ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ, କହିଲେ- ପୁଲିସ ସମ୍ପୂର୍ଣ୍ଣ ସ୍ୱାଧୀନତାର ସହ ବିନା ଭୟରେ ତଦନ୍ତ କରୁଛି

ଭୁବନେଶ୍ବର: ଶେଷରେ ମମିତା ମେହେର ହତ୍ୟା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ବିଧାନସଭାରେ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ଏକ ଅତ୍ୟନ୍ତ ଦୁଃଖଦ ଓ ଦୁର୍ଭାଗ୍ୟଜନକ ଘଟଣା । ଆଇନ ଅନୁଯାୟୀ ପୀଡ଼ିତାଙ୍କୁ ଯେତେ ଶୀଘ୍ର ସମ୍ଭବ ନ୍ୟାୟ ଦିଆଯିବ । ସେଥିପାଇଁ ମୋ ସରକାର ପ୍ରତିଶ୍ରୁତିବଦ୍ଧ । ଏହି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି କରାଯାଉଛି । ମମିତା ମେହେରଙ୍କ ପରିବାର ହାତଯୋଡି ଅନୁରୋଧ କରିଛନ୍ତି ଏହାକୁ ନେଇ ରାଜନୀତି ନ କରାଯାଉ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଫାଷ୍ଟ ଟ୍ରାକ କୋର୍ଟରେ ଏହାର ବିଚାର କରାଯାଇ ନ୍ୟାୟ ଦିଆଯିବ । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜଣେ ଅବସରପ୍ରାପ୍ତ ଜିଲ୍ଲା ଜଜଙ୍କ ଦ୍ୱାରା ତଦନ୍ତର ତଦାରଖ କରାଯାଉଛି । ନ୍ୟାୟପାଳିକା ଉପରେ ଆମର ବିଶ୍ୱାସ ରହିଛି । ପୁଲିସ ସମ୍ପୂର୍ଣ୍ଣ ସ୍ୱାଧୀନତାର ସହ କାର୍ଯ୍ୟ କରୁଛି । ବିନା ଭୟରେ ପୁଲିସ କାର୍ଯ୍ୟ କରୁଛି । ଯଦି କୌଣସି ପ୍ରମାଣ ଥାଏ ଯେତେ ବଡ଼ ଲୋକ ହେଲେ ବି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯଦି କାହା ପାଖରେ ପ୍ରମାଣ ରହିଛି ସେମାନେ କୋର୍ଟକୁ ଦିଅନ୍ତୁ । ବିଧାୟକମାନଙ୍କୁ ସମ୍ବିଧାନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛି । ଯଦି ସେମାନେ ତାଙ୍କ ଦାୟିତ୍ୱ ଠିକ ଭାବେ ନିର୍ବାହ ନ କରିବେ ତେବେ ତାହା ଖରାପ ପରମ୍ପରା ସୃଷ୍ଟି ହେବ । ତେଣୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ସମସ୍ତେ ଗୃହ କାର୍ଯ୍ୟରେ ସହଯୋଗ କରନ୍ତୁ ।

ମମିତା ମେହେର ପ୍ରସଙ୍ଗରେ ବିଧାନସଭାରେ ବିବୃତି ରଖିବା ସମୟରେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ବି ଦେଇଛନ୍ତି ପରାମର୍ଶ । ସେ କହିଛନ୍ତି, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବାତ୍ୟା ଆସୁଛି। ପୁଣି କୋଭିଡର ନୂତନ ଭାରିଆଣ୍ଟ ମଧ୍ୟ ବିପଦ ସୃଷ୍ଟି କରିପାରେ। ସେପଟେ ଚାଷୀଙ୍କ ସମସ୍ୟା ରହିଛି, ଚାଉଳ ନ ଉଠିପାରୁନାହିଁ । କେବିକେ ଓ ଆଦିବାସୀ ବହୁଳ ଜିଲ୍ଲାକୁ ଘର ଯୋଗାଇବା ବନ୍ଦ କରିବା, କେନ୍ଦ୍ରୀୟ ଅନୁଦାନ କାଟିବା , ଗ୍ୟାସ ଦର ବୃଦ୍ଧି ସମେତ ଦରଦାମ ବୃଦ୍ଧି ସାଧାରଣ ଲୋକଙ୍କୁ ବାଧୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର