ନୂଆଦିଲ୍ଲୀରେ ସମ୍ବିଧାନ ମୁଖବନ୍ଧରେ ‘ଅହିଂସା’ ଶବ୍ଦ ସ୍ଥାନିତ କରିବା ଦାବି ଦୋହରାଇଲେ ନବୀନ

ଅହିଂସା ହିଁ ଆମ ସ୍ୱାଧୀନତା ସଂଗ୍ରାମକୁ ବିଶ୍ୱର ସବୁ ସଂଗ୍ରାମଠାରୁ ନିଆରା କରିଛି: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଅହିଂସା ହେଉଛି ବିଶ୍ୱକୁ ଭାରତର ସବୁଠାରୁ ଶକ୍ତିଶାଳୀ ବାର୍ତ୍ତା। ଅହିଂସା ହିଁ ଆମ ସ୍ୱାଧୀନତା ସଂଗ୍ରାମକୁ ବିଶ୍ୱର ସବୁ ସଂଗ୍ରାମଠାରୁ ନିଆରା କରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏଥିସହ ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’ ଶବ୍ଦ ସ୍ଥାନିତ କରିବା ଦାବିକୁ ଦୋହରାଇଛନ୍ତି ନବୀନ।

ଆଜି ରାଷ୍ଟ୍ରପତି ଭବନଠାରେ ଗାନ୍ଧିଜୀଙ୍କର ୧୫୦ତମ ଜୟନ୍ତୀ ପାଳନ ନିମନ୍ତେ ଗଠିତ ଜାତୀୟ କମିଟିର ଦ୍ୱିତୀୟ ବୈଠକରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅହିଂସା ହିଁ ଶାନ୍ତି, ବିକାଶ ଓ ସାମ୍ୟତାର ମାର୍ଗ। ତେଣୁ ବିକାଶ ଲାଗି ଗାନ୍ଧିଜୀଙ୍କ ଅହିଂସା ମାର୍ଗକୁ ହିଁ ଯୁବସମାଜ ଆପଣାଇବା ଦରକାର । ଯୁବ ସମାଜ ମଧ୍ୟରେ ଅହିଂସା ଆଦର୍ଶର ବିକାଶ ଆମର ମହାନ ସଂଗ୍ରାମ ଏବଂ ମହତ୍ମାଙ୍କୁ ଯୁଗ ଯୁଗ ପାଇଁ ପ୍ରେରଣାର ଉତ୍ସ କରି ରଖିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମହାତ୍ମା ଗାନ୍ଧିଙ୍କ ଅହିଂସା ତତ୍ତ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନୀତି ହେଉଛି ଯେ ଦାରିଦ୍ର୍ୟ ଓ ସାମାଜିକ ଅବିଚାର ସବୁଠାରୁ ବଡ଼ ହିଂସା। ଗାନ୍ଧିଜୀଙ୍କ ମତରେ ଯେ ପର୍ଯ୍ୟନ୍ତ ଦାରିଦ୍ର୍ୟ ରହିଥିବ ସ୍ୱାଧୀନତାର ମୂଲ୍ୟ ଅର୍ଥହୀନ। ବିନା ଅହିଂସାରେ ଗରିବୀ ଦୂର କରାଯାଇ ପାରିବ ନାହିଁ ବୋଲି ମତ ଦେଇ ଜାତି, ଧର୍ମ, ବର୍ଣ୍ଣ ଭିତ୍ତିରେ ସମାଜକୁ ବିଭକ୍ତ କରୁଥିବା ଶକ୍ତିର ପରାଜୟରେ ହିଁ ପ୍ରଗତି ହାସଲ କରାଯାଇପାରିବ। ତେଣୁ ଗାନ୍ଧିଜୀଙ୍କ ଜୟନ୍ତୀ ଅବସରରେ ‘ଅହିଂସା’ ଶବ୍ଦ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ ହେଲେ ତାହା ମହାତ୍ମାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମୁଖ୍ୟମନ୍ତ୍ରୀ ପୁଣିଥରେ ଦୋହରାଇଥିଲେ। ଏହା ଭାରତ ତଥା ବିଶ୍ୱର ଉତ୍ତରପୀଢ଼ିକୁ ଗାନ୍ଧିଜୀଙ୍କ ଏହି ଉକ୍ତିର ଦୃଢ଼ ସଭ୍ୟତା ସବୁଦିନ ସ୍ମରଣ କରାଇ ଦେଉଥିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର