ରାଜ୍ୟବ୍ୟାପି ୧୪ ଦିନିଆ ମାସ୍କ ଅଭିଯାନ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ, ମାସ୍କ ନ ପିନ୍ଧିଲେ ୨ଗୁଣ ଜରିମାନା

ନବୀନ କହିଲେ- ସରକାର ବାହାରେ ଜଗିଛନ୍ତି ମା’ମାନେ ଘରେ ଜଗନ୍ତୁ

ଭୁବନେଶ୍ବର: ବିନା ମାସ୍କରେ ବାହାରକୁ ବାହାରନ୍ତୁ ନାହିଁ। ମାସ୍କ ହିଁ ଆମ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କବଚ। ମାସ୍କ ପିନ୍ଧିଲେ କରୋନାକୁ ବିନା ଲକ୍‌ଡାଉନ୍‌ରେ ରୋକିପାରିବା। ଯଦି ନିଜର ଜୀବନ ଜୀବିକାକୁ ବଜାୟ ରଖିବାକୁ ଚାହାନ୍ତି ତେବେ, ମାସ୍କ ପିନ୍ଧନ୍ତୁ। ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ କହଛନ୍ତି ଯେ, ମୁଁ ମାସ୍କ ପିନ୍ଧୁ ନ ଥିବା ଲୋକଙ୍କଠାରୁ ଜରିମାନା ଆଦାୟ କରିବାକୁ ପୁଲିସ ଓ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି। ଯେଉଁମାନେ ମାସ୍କ ପିନ୍ଧୁ ନାହାନ୍ତି, ସେମାନଙ୍କ ଠାରୁ ୨ ଗୁଣ ଜରିମାନା ଆଦାୟ କରାଯିବ। ଦେଶର ଅନ୍ୟ ରାଜ୍ୟରେ ଲକ୍‌ଡାଉନ୍‌ ଓ ରାତ୍ରିକାଳୀନ କର୍ଫ୍ୟୁ ଆରମ୍ଭ ହୋଇଯାଇଛି। ଆମେ କଟକଣା ମାନିଲେ ଏସବୁର ଦରକାର ପଡ଼ିବ ନାହିଁ। ଆସନ୍ତୁ ଆମେ ଆଜିଠାରୁ ୧୪ ଦିନିଆ ମାସ୍କ ଅଭିଯାନ ଆରମ୍ଭ କରିବା। ଏହି ସମୟରେ କଡ଼ାକଡ଼ି ଭାବେ ମାସ୍କ ପିନ୍ଧିବା ନିୟମ ପାଳନ କରିବା। ତେବେ ଏହା ଏକ ଅଭ୍ୟାସରେ ପରିଣତ ହୋଇଯିବ। ପୂରା ନାକ ଓ ମୁହଁକୁ ବନ୍ଦ କରି ମାସ୍କ ପିନ୍ଧିବା। ତେବେ କରୋନାକୁ ଜିତି ପାରିବା।

ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଯେ, ବେକରେ ଝୁଲେଇ କି ନୁହେଁ, ମାସ୍କକୁ ଠିକ ଭାବେ ନାକକୁ ଘୋଡେଇ ପିନ୍ଧିବା। ମା’ ମାନଙ୍କୁ ବିଶେଷ ଅନୁରୋଧ ଘରଲୋକ ଯେତେବେଳେ ବାହାରକୁ ଯାଉଛନ୍ତି ସେମାନେ ଯେଭଳି ମାସ୍କ ପିନ୍ଧିବେ ସେଥିପ୍ରତି ବିଶେଷ ଧ୍ୟାନ ଦେବେ। ମା’ ମନେ ସତର୍କ ହେଲେ କରୋନା ଘର ଭିତରକୁ ଆସିପାରିବ ନାହିଁ। ସରକାର ବାହାରେ ଜଗିଛନ୍ତି। ତେଣୁ ମା’ ମାନେ ଘର ଭିତରେ ପରିବାରର ଲୋକଙ୍କୁ ଜଗନ୍ତୁ।

ଯେଉଁମାନେ କୋଭିଡ-୧୯ ଟିକା ନେଇ ନାହାନ୍ତି, ସେମାନେ ନିଶ୍ଚୟ ଭାବେ ମାସ୍କ ପିନ୍ଧନ୍ତୁ। ଯେଉଁମାନେ ଟିକା ନେଇଛନ୍ତି, ସେମାନେ ବି ମାସ୍କ ପିନ୍ଧନ୍ତୁ। ତା’ ହେଲେ ଯାଇ ବିନା ଲକ୍ଡା‌ଉନରେ କୋରନାକୁ ରୋକିପାରିବା। ଯଦି ଆପଣ ଚାହୁଁଛନ୍ତି ଯେ, ଆପଣଙ୍କ ରୋଜଗାର ବନ୍ଦ ନହେଉ ତେବେ ଆପଣଙ୍କ ଜୀବିକା ଠିକ ଭାବେ ଚାଲୁ ତା’ହେଲେ ମାସ୍କ ପିନ୍ଧନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି।

ଏବେ କରୋନା ଭାଇରସ ମହାମାରୀର ଦ୍ଵିତୀୟ ଲହର ବ୍ୟାପି ଚାଲିଛି। ଅନ୍ୟ ଦେଶରେ ତୃତୀୟ ଲହର ଆରମ୍ଭ ହୋଇଯାଇଛି। ତେଣୁ ଆମକୁ କେତେ ଲହରର ସମ୍ମୁଖୀନ ହେବାକୁ ପଡିବ ତାହା ଆମେ ଜାଣିନୁ। ଯଦି ଆମ ଜୀବନଶୈଳୀରେ ଛୋଟିଆ ପରିବର୍ତ୍ତନ ଆଣିପାରିବା ଓ ମାସ୍କକୁ ସାଥି କରିପାରିବା ତେବେ ବିନା ଲକ୍ଡା‌ଉନରେ କରୋନା ବିପଦରୁ ରକ୍ଷା ପାଇପାରିବା। ଆପଣଙ୍କ ସହଯୋଗ ଆମକୁ ଏହି ଯୁଦ୍ଧରେ ବିଜୟୀ କରିପାରିବ।

ସମ୍ବନ୍ଧିତ ଖବର