ଦୁର୍ନୀତିଗ୍ରସ୍ତଙ୍କୁ ପୁଣି ବାଜିଲା‌ ଚୋଟ : ୬ ଅଧିକାରୀ ବରଖାସ୍ତ, ୪ ଜଣଙ୍କ ପେନ୍‌ସନ୍ ବନ୍ଦ

ମାସକରେ ହେଲେଣି ୨୧ ବରଖାସ୍ତ

ଭୁବନେଶ୍ବର : ରାଜ୍ୟରେ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ଉପରେ ପୁଣି ଚୋଟ ବାଜିଛି। ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ୧୦ ଜଣଙ୍କ ବିରୋଧରେ ଆଜି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୬ ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିଲା ବେଳେ ୪ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍‌ସନ୍ ବନ୍ଦ କରିଦିଆଯାଇଛି। ଆଜିର କାର୍ଯ୍ୟାନୁଷ୍ଠାନକୁ ମିଶାଇ ଅଗଷ୍ଟ ମାସରେ ୨୧ ଜଣଙ୍କୁ ବରଖାସ୍ତ ଓ ୬ ଜଣଙ୍କ ପେନସନ୍‌ ବନ୍ଦ କରାସରିଲାଣି।

ଗୋଟିଏ ମାସ ଭିତରେ ସରକାରଙ୍କ ଏପରି ପଦକ୍ଷେପ କର୍ମଚାରୀ ମହଲରେ ଆତଙ୍କ ସୃଷ୍ଟି କରିଛି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି ବିରୋଧରେ ‘ଜିରୋ ଟଲେରାନ୍ସ’ ନୀତିକୁ ଆହୁରି କଡ଼ାକଡ଼ି କରିଛନ୍ତି। ଗତ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ୧୫ ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିବା ସହ ଦୁଇ ଜଣ ପୂର୍ବତନ ଅଧିକାରୀଙ୍କୁ ପେନ୍‌ସନ୍ ସୁବିଧା ସମ୍ପୂର୍ଣ୍ଣ ଭାବେ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଆଜି ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ, ବାଣିଜ୍ୟ ଓ ପରିବହନ ବିଭାଗର ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଧୀନସ୍ଥ କୁଆରମୁଣ୍ଡା ତହସିଲ୍‌ର କନିଷ୍ଠ କିରାଣୀ ସଞ୍ଜିତ କୁମାର ରାୟ, ବାରିପଦା ଆଇଟିଡିଏର ପୂର୍ବତନ ସହକାରୀ ଯନ୍ତ୍ରୀ ବୈକୁଣ୍ଠ ବିହାରୀ ପ୍ରଧାନ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ପ୍ରାଣୀ ଚିକିତ୍ସକ ଭାଗୀରଥି ବିଶ୍ବାଳ, ପଞ୍ଚାୟତିରାଜ ବିଭାଗର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ପାତ୍ର, ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଧୀନସ୍ଥ କୁତ୍ରା ବ୍ଲକ୍‌ର ପଞ୍ଚାୟତ ନିର୍ବାହୀ ଅଧିକାରୀ ତ୍ରିଲୋଚନ ସେଠ୍‌ ଓ ବଣାଇଗଡ଼ ବ୍ଲକ୍‌ର ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଷ୍ଟମ ଚନ୍ଦ୍ର ପଟେଲ।

ପେନ୍‌ସନ୍ ସୁବିଧା ବନ୍ଦ ହୋଇଥିବା ଚାରି ଜଣ ଅଧିକାରୀ ହେଲେ, ଜଳସମ୍ପଦ ବିଭାଗର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଗୌତମ ଚନ୍ଦ୍ର ପୃଷ୍ଟି, ଓସିସିର ପୂର୍ବତନ ମହାପ୍ରବନ୍ଧକ ବିକ୍ରମ କେଶରୀ ପଟ୍ଟନାୟକ, କଟକ ଡ୍ରେନେଜ୍ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ପୂର୍ବତନ ପ୍ରତିଷ୍ଠାନ ଅଧିକାରୀ ରବୀନ୍ଦ୍ର କୁମାର ଜେନା ଓ ବାରିପଦା ଆଇଟିଡିଏର ପୂର୍ବତନ କନିଷ୍ଠ ଯନ୍ତ୍ରୀ ରବି ନାରାୟଣ ମହାନ୍ତି।

ସମ୍ବନ୍ଧିତ ଖବର