ଭୁବନେଶ୍ୱର: ବିଗତ କିଛି ଦିନ ହେବ ବିହାରରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବନ୍ୟା ପରିସ୍ଥିତି ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି। ନବୀନ ବିହାରରେ ବନ୍ୟା ପରିସ୍ଥିତି କେମିତି ଅଛି ସେ ନେଇ ଅବଗତ ହୋଇଛନ୍ତି। ସହାୟତା ଯୋଗାଇବା ପାଇଁ ଓଡ଼ିଶା ପ୍ରସ୍ତୁତ ଅଛି। ଏଥି ସହିତ ନବୀନ ଯଥା ସମ୍ଭବ ସହାୟତା ଯୋଗାଇଦେବାକୁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି।
#Bihar: Patna's Pataliputra colony and Rajendra Nagar continue to reel under impact of flood. pic.twitter.com/FG8ke794hN
— ANI (@ANI) October 3, 2019
ସୂଚନାଯୋଗ୍ୟ ପ୍ରାୟ ଏକ ସପ୍ତାହ ହେବ ବିହାରରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଦେଖାଯାଇଛି। ବନ୍ୟା ଯୋଗୁଁ ୬୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ବନ୍ୟା ପ୍ରଭାବିତ ଲକ୍ଷାଧିକ ଲୋକଙ୍କୁ ଉଦ୍ଧାରକାରୀ ଟିମ୍ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାରେ ନିୟୋଜିତ ହୋଇଛନ୍ତି। ଚାରି ଦିନ ହେବ ଉଦ୍ଧାର ପ୍ରକ୍ରିୟାକୁ ତୀବ୍ର କରିଦିଆଯାଇଛି। ରାଜଧାନୀ ପାଟଣା, ବୈଶାଳୀ ଓ ଖଗରିଆ ଜିଲ୍ଲାରେ ଅଧିକାଂଶ ଲୋକେ ପ୍ରଭାବିତ ହୋଇଛନ୍ତି। ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ ଗୁରୁବାର ଓ ଶୁକ୍ରବାର ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରିଛନ୍ତି।