ଦୁର୍ନୀତି ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ସହିଷ୍ଣୁତା ନୀତି: ୧୫ ଅଧିକାରୀ ବରଖାସ୍ତ, ୨ ଜଣଙ୍କ ପେନ୍‌ସନ୍‌ ବନ୍ଦ

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା ନୀତି ଗ୍ରହଣ କରିବାକୁ ନିୟମିତ ଭାବେ ନିର୍ଦ୍ଦେଶ ଦେଇଆସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ନୀତି ଅନୁଯାୟୀ ରାଜ୍ୟ ସରକାର ୧୫ ଜଣ ଅଧିକାରୀ ଚାକିରୀରୁ ବରଖାସ୍ତ କରିବା ସହିତ ଦୁଇ ଜଣ ପୂର୍ବତନ ଅଧିକାରୀଙ୍କ ପେନ୍‌ସନ୍‌ ସୁବିଧା ସଂପୂର୍ଣ୍ଣ ଭାବେ ବନ୍ଦ କରିଦେଇଛନ୍ତି। ଏହିସବୁ ଅଧିକାରୀମାନେ ରାଜ୍ୟ ଦୁର୍ନୀତି ନିର୍ବାରଣ ବିଭାଗ ଦ୍ୱାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ – ବାଣିଜ୍ୟ ଓ ପରିବହନ ବିଭାଗର ବୌଦ୍ଧ ଜିଲ୍ଲା ପୂର୍ବତନ ଆଇଏମ୍‌ଭି ଦେବୀ ପ୍ରସାଦ ପାଢ଼ୀ, ସମବାୟ ବିଭାଗର ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସମବାୟ ସମିତିର ପୂର୍ବତନ ସଚିବ ଦେବଦତ୍ତ ଦାଶ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଉମରକୋଟ ମ୍ୟୁନିସ୍‌ପାଲଟି ଅକ୍ଟରୋଇ ଟ୍ୟାକ୍ସ ସରକାର କାଳିପ୍ରସାଦ ସିଂ, ପଞ୍ଚାୟତିରାଜ ବିଭାଗର ଭଦ୍ରକ ଧାମନଗର ତହସିଲର ପୂର୍ବତନ ଜୁନିଅର କ୍ଲର୍କ ବଟକୃଷ୍ଣ ବାରିକ, ପଞ୍ଚାୟତିରାଜ ବିଭାଗର କଳାହାଣ୍ଡି ମଦନପୁର ରାମପୁର ବ୍ଲକର ପୂର୍ବତନ ଭିଏଲ୍‌ଡବ୍ଲୁ କୃଷ୍ଣମୋହନ ଦାସ, ପଞ୍ଚାୟତିରାଜ ବିଭାଗର କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ପୂର୍ବତନ ସେକ୍ରେଟାରୀ କମ୍‌ ପିଆରଓ ଅଶୋକ କୁମାର ସାହା, ପଞ୍ଚାୟତିରାଜ ବିଭାଗର କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ପୂର୍ବତନ ପଞ୍ଚାୟତ ଏକଜ୍ୟୁକେଟିଭ୍‌ ଅଫିସର ପଦ୍ମମୁଖ ଶବର, ପଞ୍ଚାୟତରାଜ ବିଭାଗର ବୌଦ୍ଧ ଜିଲ୍ଲା ମୁର୍ଷୁଣ୍ଢି ଗ୍ରାମ ପଞ୍ଚାୟତର ପୂର୍ବତନ ସେକ୍ରେଟାରୀ କିଶୋର ଚନ୍ଦ୍ର ପ୍ରଧାନ, ଜଳ ସଂପଦ ବିଭାଗର ଖୋର୍ଦ୍ଧା ଜିଲ୍ଲା ବାଣପୁର ସାଳିଆ ଜଳସେଚନ ପ୍ରକଳ୍ପର ପୂର୍ବତନ ଆସିଷ୍ଟାଣ୍ଟ ଇଞ୍ଜିନିୟର ବିଜୟ କୁମାର ସାହୁ, ଜଳସଂପଦ ବିଭାଗର ଭବାନୀପାଟଣା ଆଇଟିଡିଏର ପୂର୍ବତନ ଜେଇ କରୁଣାକର ପଣ୍ଡା, ଜଳସଂପଦ ବିଭାଗର ମୟୂରଭଂଜ ଜିଲ୍ଲା କୁଳିଅଣା ବ୍ଲକ ପୂର୍ବତନ ଜେଇ ମଙ୍ଗଳ ସିଂହ ମୁଣ୍ଡା, ଜଳସଂପଦ ବିଭାଗର କିଳିଅଣା ବିଭାଗର ମୟୂରଭଂଜ ସାରସକଣା ବ୍ଲକ ପୂର୍ବତନ ଜେଇ ପ୍ରତାପ ଚନ୍ଦ୍ର ରାଉତ, ଜଳସଂପଦ ବିଭାଗର କଳାହାଣ୍ଡି ଥୁଆମୁଳ ରାମପୁର ଆଇଟିଡିଏ  ପୂର୍ବତନ ଜେଇ ନିଗମାନନ୍ଦ ପଣ୍ଡା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଏମ୍‌ସି ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଚିତ୍ତରଂଜନ ଲାଲ।

ସେହିପରି ପେନ୍‌ସନ ସୁବିଧା ବନ୍ଦ ହୋଇଥିବା ଦୁଇ ଜଣ ଅଧିକାରୀ ହେଲେ- ଜଳସଂପଦ ବିଭାଗର କଳାହାଣ୍ଡି ଆଇଟିଡିଏ (ଅବସରପ୍ରାପ୍ତ) ପୂର୍ବତନ ଆସିଷ୍ଟାଣ୍ଟ ଇଞ୍ଜିନିୟର ଅଶ୍ୱିନୀ କୁମାର ଶର୍ମା ଓ ଜଳସଂପଦ ବିଭାଗର କଳାହାଣ୍ଡି ଡିଆରଡିଏ (ଅବସରପ୍ରାପ୍ତ) ପୂର୍ବତନ ଏପିଡି ଶଶାଙ୍କ ଶେଖର ପଟ୍ଟନାୟକ।

ସମ୍ବନ୍ଧିତ ଖବର