ପୁରୀ ପାଇଁ ନବୀନଙ୍କ ପ୍ୟାକେଜ୍‌ ଘୋଷଣା: ପ୍ରତି ପରିବାରକୁ ୫୦ କିଲୋ ଚାଉଳ, ପ୍ରତି ୧୦ ଦିନରେ ଅଢ଼େଇ ଲିଟର କିରାସିନି ମାଗଣା

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ପୁରୀ ଜିଲ୍ଲା ବାସିନ୍ଦାଙ୍କ ପାଇଁ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତ କରି  ପରିସ୍ଥିତିର ଏକ ଉଚ୍ଚସ୍ତରୀୟ ସମୀକ୍ଷା .ବୈଠକ କରିବା ସହ ଏହି ପ୍ୟାକେଜ୍‌ ଘୋଷଣା କରିଛନ୍ତି। ସାଧାରଣ ଲୋକଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନବୀନ ପୁରୀ ଗସ୍ତ ଅବସରରେ କହିଛନ୍ତି, ପ୍ରତି ପରିବାରକୁ ମାଗଣାରେ ପ୍ରତି ୧୦ ଦିନରେ ଥରେ ଅଢେଇ ଲିଟର କିରାସିନି ମିଳିବ। ସେହିପରି ପ୍ରତି ପରିବାରକୁ  ୫୦ କିଲୋ ଚାଉଳ ମାଗଣାରେ ମିଳିବ। ଉପଭୋକ୍ତା ନିଜର ରାସନ କାର୍ଡ ଦେଖାଇ ଚାଉଳ ନେଇ ପାରିବେ। ସେହିପରି ୨ ମାସ ପାଇଁ ମାଗଣାରେ ସାନିଟାରୀ ନାପକିନ ମଧ୍ୟ ବଣ୍ଟନ ହେବ।

ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବିତ ଲୋକଙ୍କ ପାଇଁ ସରକାର ଚିନ୍ତା କରୁଛନ୍ତି ବୋଲି ନବୀନ କହିଛନ୍ତି। ବାତ୍ୟାଜନିତ କ୍ଷୟକ୍ଷତି ନେଇ ନବୀନ ଦୁଃଖପ୍ରକାଶ କରିଛନ୍ତି।

ପୁରୀ ଜିଲ୍ଲାକୁ ବିଦ୍ୟୁତ ଯୋଗାଣ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ବିଦ୍ୟୁତ ଭିତ୍ତିଭୂମି ଠିକ କରିବା ପାଇଁ ଜିଲ୍ଲାରେ ୧୦ ହଜାର ଲୋକ କାମ କରୁଛନ୍ତି। ଯେତେ ଶୀଘ୍ର ସମ୍ଭବ ସାରା ଜିଲ୍ଲାକୁ ବିଦ୍ୟୁତ ଯୋଗାଣ କରାଯିବ। ପୁରୀକୁ ବିଦ୍ୟୁତ ଯୋଗାଉଥିବା ୩ଟି ଲାଇନ ନଷ୍ଟ ହୋଇଛି। ଏଥିରୁ ଆଜି ଗୋଟିକୁ ସଜଡ଼ା କରାଯାଇଛି। ପୁରୀ, ନିମାପଡ଼ା ଓ କୋଣାର୍କ ସହରକୁ ଆଜି ରାତିରୁ ବିଦ୍ୟୁତ ସଂଯୋଗ ଦିଆଯାଉଛି।

ସମ୍ବନ୍ଧିତ ଖବର