ୟୁକ୍ରେନରେ ରହିଯାଇଥିବା ଅନ୍ୟ ଛାତ୍ରଛାତ୍ରୀଙ୍କ ଫେରିବା ପାଇଁ ସବୁପ୍ରକାର ଉଦ୍ୟମ କରାଯିବ: ମୁଖ୍ୟମନ୍ତ୍ରୀ

ମୁମ୍ବାଇ ବିମାନବନ୍ଦରରେ ମଧ୍ୟ ଖୋଲିବ ସହାୟତା ଡେକ୍ସ, କୃତଜ୍ଞତା ପ୍ରକାଶ କଲେ ଛାତ୍ରଛାତ୍ରୀ

ଭୁବନେଶ୍ବର: ଆପଣାମାନେ ସମସ୍ତେ ନିରାପଦରେ ଫେରିଆସିଥିବାରୁ ମୁଁ ଆଶ୍ବସ୍ତ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୟୁକ୍ରେନରୁ ଫେରି ଆସି ନୂଆଦିଲ୍ଲୀରେ ଥିବା ଓଡିଆ ଛାତ୍ରଛାତ୍ରୀଙ୍କ ସହିତ ଅନ୍‌ଲାଇନ୍‌ ଜରିଆରେ ଆଲୋଚନା କରି ଏହା କହିଛନ୍ତି । ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ କରି ୟୁକ୍ରେନରେ ରହିଯାଇଥିବା ଅନ୍ୟ ଛାତ୍ରଛାତ୍ରୀଙ୍କ ଫେରିବା ପାଇଁ ସବୁପ୍ରକାର ଉଦ୍ୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଭରସା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଆ ଛାତ୍ରଛାତ୍ରୀ ମାନଙ୍କ ଫେରିବା ସଂପର୍କରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ଏବଂ ସେ ଆଉଥରେ ମଧ୍ୟ ଏ ବିଷୟରେ କଥାବାର୍ତ୍ତା କରି ପଦକ୍ଷେପ ନେବେ ବୋଲି କହିଥିଲେ ।

ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ସେମାନେ ସମସ୍ତେ ରୋମାନିଆ ସୀମା ଅତିକ୍ରମ କରି ଭାରତୀୟ ଅଧିକାରୀ ମାନଙ୍କ ସହିତ ବୁକାରେଷ୍ଟ ଯାଇଥିଲେ ଏବଂ ସେଠାରୁ ବିମାନ ଯୋଗେ ନୂଆଦିଲ୍ଲୀ ଆସିଥିଲେ । ନୂଆଦିଲ୍ଲୀରେ ଅବସ୍ଥାପିତ ରେସିଡେଣ୍ଟ କମିଶନର ସେମାନଙ୍କ ସହିତ ସବୁ ସମୟରେ ଅନ୍‌ଲାଇନ ଜରିଆରେ ଯୋଗାଯୋଗରେ ଥିଲେ ବୋଲି ସେମାନେ କହିଥିଲେ । ୟୁକ୍ରେନର ଅନ୍ୟ ସ୍ଥାନରେ ଥିବା, ବିଶେଷକରି ଖାରକିବ୍‌ରେ ବହୁ ଓଡିଆ ଛାତ୍ରଛାତ୍ରୀ ଅଛନ୍ତି ଓ ସେମାନଙ୍କୁ ଫେରାଇ ଆଣିବାପାଇଁ ପଦକ୍ଷେପ ନେବାକୁ ସେମାନେ ଅନୁରୋଧ କରିଥିଲେ ।

ୟୁକ୍ରେନରୁ ଫେରୁଥିବା ପିଲାଙ୍କ ସୁବିଧା ପାଇଁ ମୁମ୍ବାଇ ବିମାନବନ୍ଦରରେ ସହାୟତା ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଭୁବନେଶ୍ୱର ରେ ପହଞ୍ଚି ବା ପରେ ପିଲାମାନଙ୍କୁ ଓଟିଡିସି ବସ୍ ଯୋଗେ ସେମାନଙ୍କ ଘରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବ  ସୁରେଶ ମହାପାତ୍ର ଓ ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି କେ. ପାଣ୍ଡିଆନ ଆଲୋଚନାକୁ ସଯୋଜନା କରିଥିଲେ।

ସମ୍ବନ୍ଧିତ ଖବର