ଭୁବନେଶ୍ବର: କରମଣ୍ଡଳ ଏକ୍ସପ୍ରେସ୍ ଟ୍ରେନ୍ (୧୨୮୪୧) ଓ ବେଙ୍ଗାଲୁରୁ-ହାୱଡ଼ା ଏକ୍ସପ୍ରେସ୍ (୧୨୮୬୪) ମଧ୍ୟରେ ଆଜି ସନ୍ଧ୍ୟାରେ ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏନେଇ ଅବଗତ ହେଲା ପରେ ସେ ସ୍ବତନ୍ତ୍ର ରିଲିଫ କମିସନର (ଏସ୍ଆରସି) କଣ୍ଟ୍ରୋଲ ରୁମ୍କୁ ଯାଇ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ସମୀକ୍ଷା କରିଛନ୍ତି। ଏହା ଏକ ଦୁଃଖଦାୟକ ଘଟଣା ବୋଲି ଗଣମାଧ୍ୟମର ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ ଉଦ୍ଧାର କାର୍ଯ୍ୟ ସବୁଠାରୁ ବଡ଼ କଥା। ଆହତ ଓ ଗୁରୁତର ଲୋକଙ୍କୁ ଡାକ୍ତରଖାନାକୁ ନେଇ ସେମାନଙ୍କର ଜୀବନ ରକ୍ଷା କରିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାମ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆସନ୍ତାକାଲି (ଶନିବାର) ସକାଳୁ ଘଟଣାସ୍ଥଳକୁ ଯିବି ବୋଲି ସୂଚନା ଦେଇଛନ୍ତି।
ବାହାନଗା ନିକଟରେ ଦୁଇଟି ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣା ଯୋଗୁଁ ରିପୋର୍ଟ ଲେଖାଯିବା ବେଳକୁ ପ୍ରାୟ ୩୦୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ୩୦ରୁ ଅଧିକ ପହଞ୍ଚି ଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର ପାଇଁ ୧୦୦ଟି ଆମ୍ବୁଲାନ୍ସ ଏବଂ ୫୦ଟି ବସ୍ ନିୟୋଜିତ ଅଛନ୍ତି। ସେହିପରି ଏନ୍ଡିଆରଏଫ୍, ଓଡ୍ରାଫ୍ ଟିମ୍, ଅଗ୍ନିଶମ ବାହିନୀ ଏବଂ ପୁଲିସ ମୁତୟନ ଅଛନ୍ତି। ବାଲେଶ୍ବର, କଟକ ବଡ଼ମେଡିକାଲ ବ୍ୟତୀତ ବାଲେଶ୍ବର ଠାରୁ ଆରମ୍ଭ କରି ଭୁବନେଶ୍ବର ପର୍ଯ୍ୟନ୍ତ ଥିବା ସମସ୍ତ ସରକାରୀ ଓ ଘରୋଇ ଡାକ୍ତରଖାନାକୁ ପ୍ରସ୍ତୁତ ରଖାଯାଇଥିବା ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।