ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେଡିର ଜୋରଦାର ପ୍ରସ୍ତୁତି, ଶୁଭାରମ୍ଭ ହେବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା

୮ ମନ୍ତ୍ରୀ ସହ ବିଧାୟକମାନଙ୍କ ମାଲକାନଗିରିରେ ଡେରା

ମାଲକାନଗିରି: ଜିଲ୍ଲାରୁ ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିବେ। ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମାଲକାନଗିରି ଗସ୍ତରେ ଆସି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭ ଉଦଘାଟନ କରିବେ। ଏଥିସହ ମନ୍ତ୍ରୀମାନେ ବିଭିନ୍ନ ବ୍ଲକ ସହ ପଞ୍ଚାୟତ ଗସ୍ତ କରି ଲୋକଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରିବାର ଯୋଜନା ରହିଛି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନେ ଏହି ବିଜୁ ସ୍ବାସ୍ଥ୍ୟ ଯୋଜନାର ସ୍ମାର୍ଟ କାର୍ଡ ପଞ୍ଚିକୃତ ହେବେ ବୋଲି ଜଣାପଡିଛି।

ଏହି କାର୍ଡ ଦ୍ବାରା ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଟଂକା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସେବାରେ ଖର୍ଚ୍ଚ କରିବେ ରାଜ୍ୟ ସରକାର ଏବଂ ଏହି ଅର୍ଥ ରାଶିର ଉପଯୋଗ ହୋଇଗଲା ପରେ ପରିବାରର ମହିଳା ସଦସ୍ୟମାନେ ଅତିରିକ୍ତ ୫ ଲକ୍ଷ ଟଂକା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ସେବା ପାଇପାରିବେ। ତେବେ ଏହାକୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ ସାତୋଟି ବ୍ଲକରେ ବ୍ୟାପକ ଜନସଚେତନତା କରାଯାଉଛି। ବିଭିନ୍ନ ଗ୍ରାମରେ ଲିଫଲେଟ,ସହ ବଡ ବଡ ହୋଡିଂ ମଧ୍ୟ ଲଗାଯାଉଛି। ସମସ୍ତ ବ୍ଲକରେ ବ୍ଲକ ପ୍ରଶାସନ ତରଫରୁ ହିତାଧିକାରୀ ଚୟନ ଏବଂ କାର୍ଡ ବଣ୍ଟନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।ସେହିପରି ଆଜି ଯାଯପୁର ବିଧାୟକ ତଥା ରାଜ୍ୟ ସାଙ୍ଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଆଜି ମାଲକାନଗିରିରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ସମସ୍ତ କାର୍ଯ୍ୟକୁ ତଦାରଖ କରୁଛନ୍ତି।

ଆଜି କର୍ମୀମାନଙ୍କୁ ନେଇ ସଂସ୍କୃତି ଭବନ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ କିପରି ସଫଳ ହୋଇପାରିବ ସେନେଇ ସମସ୍ତଙ୍କୁ ପରାମର୍ଶ ଏବଂ ଦାୟୀତ୍ବ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟର ୮ଟି ମନ୍ତ୍ରୀ ମାଲକାନଗିରି ଗସ୍ତ କରି ବିଭିନ୍ନ ବ୍ଲକ ଏବଂ ପଞ୍ଚାୟତକୁ ଯାଇ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ବୋଲି ଜଣାପଡିଛି। ତେବେ ମାଲକାନଗିରି ଗସ୍ତରେ ଆସୁଥିବା ମନ୍ତ୍ରୀମାନେ ହେଲେ ଡ.ଅରୁଣ ସାହୁ ତୁଷାରକାନ୍ତି ବେହେରା, ସମୀର ରଂଜନ ଦାଶ, ଜଗନ୍ନାଥ ସାରକା, ପଦ୍ମିନୀ ଦିଆନ, ପଦ୍ମନାଭ ବେହେରା, ନବ କିଶୋର ଦାସ, ବିକ୍ରମ କେଶରୀ ଆରୁଖ। ଏଥିସହ ଈଶ୍ବର ପାଣିଗ୍ରାହୀ, ସାଂସଦ ରମେଶ ମାଝୀ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଚନ୍ଦ୍ର ସାରଥୀ ବେହେରା, ମାନସ ମମାଡକାମୀ, ଦୁର୍ଗା ପ୍ରସାଦ ତ୍ରିପାଠୀ, ରାଜେନ୍ଦ୍ର ପଣ୍ଡା, ନୃସିଂହ ଚରଣ ମହାନ୍ତି, ଗୋପାଳ ପଣ୍ଡା, ପ୍ରଭାକର ପ୍ରଧାନ ସମେତ ଜିଲ୍ଲାର ଶତାଧିକ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି।

 

ସମ୍ବନ୍ଧିତ ଖବର