‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ପୁରସ୍କାର ପାଇଲେ ନବୀନ

ପୁନେଠାରେ ମିଳିଲା ଭବ୍ୟ ସମ୍ବର୍ଦ୍ଧନା

ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁରଲୀ ମନୋହର ଯୋଶୀ ଦେଲେ ପୁରସ୍କାର

ଭୁବନେଶ୍ୱର : ଶ୍ରେଷ୍ଠ ପ୍ରଶାସକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨୦୧୮ ବର୍ଷ ପାଇଁ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଏମଆଇଟି-ୱାର୍ଲଡ୍‌ ପିସ୍‌୍‌ ବିଶ୍ୱବିଦ୍ୟାଳୟ ତରଫରୁ ରବିବାର ଅପରାହ୍‌ଣରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଭାରତୀୟ ଛାତ୍ର ସଂସଦ ଫାଉଣ୍ଡେସନ ପକ୍ଷରୁ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲ ଓ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ।

ଉତ୍ସବରେ ଅତିଥି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ କହିଥିଲେ, ‘‘୧୮ ବର୍ଷ ଧରି ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ସେବା କରି ଆସୁଛନ୍ତିି। ଦୀର୍ଘ ବର୍ଷ ଧରି ଭାରତରେ ଯେଉଁ କେତେଜଣ ମୁଖ୍ୟମନ୍ତ୍ରୀ ଅଛନ୍ତି, ସେମାନଙ୍କ ଭିତରେ ନବୀନବାବୁ ହେଉଛନ୍ତି ଅନ୍ୟତମ। ଶାନ୍ତ ଓ ସରଳ ସ୍ୱଭାବର ବ୍ୟକ୍ତି ନବୀନବାବୁଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରାଯାଇଥିବାରୁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି।’

ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂହ ପାଟିଲ୍‌ କହିଥିଲେ, ‘ନବୀନ ପଟ୍ଟନାୟକ ହେଉଛନ୍ତି ଦେଶର ଜଣେ ଲୋକପ୍ରିୟ ନେତା। ଗଭୀର ନିଷ୍ଠା, ଦୂରଦୃଷ୍ଟି ଏବଂ ଜନପ୍ରିୟ ଯୋଜନାର ପ୍ରଣୟନ ଓ ସଫଳ କାର୍ଯ୍ୟକାରିତା ପାଇଁ ସେ ସାଧାରଣ ଲୋକଙ୍କ ନିକଟରେ ପ୍ରିୟ ନେତା ହୋଇପାରିଛନ୍ତି। ନବୀନ ଜଣେ ସ୍ୱଚ୍ଛ ରାଜନେତା ହୋଇଥିବାରୁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଏବଂ ଶ୍ରେଷ୍ଠ ପ୍ରଶାସକ ଭାବେ ସମ୍ବର୍ଦ୍ଧିତ କରାଯାଉଛି। ତାଙ୍କର ନିଷ୍ଠାପର ଉଦ୍ୟମ ଯୋଗୁଁ ଓଡ଼ିଶା ଆଜି ସଫଳତାର ଶୀର୍ଷରେ ପହଞ୍ଚିଛି।’

ଏହି ଅନୁଷ୍ଠାନର ପରିଚାଳନା ପରିଷଦ ବା ଗଭର୍ଣ୍ଣିଂ କାଉନସିଲରେ ଅନେକ ଜାତୀୟ ଓ ଅନ୍ତର୍ଜତୀୟ ଖ୍ୟାତିସଂପନ୍ନ ବ୍ୟକ୍ତିବିଶେଷ ଅଛନ୍ତି। ସେମାନଙ୍କ ମଧ୍ୟରେ ଜଣାଶୁଣା ଟିଭି ସାମ୍ବାଦିକ ଓ ଲେଖକ ମାର୍କ ଟଲି, ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଟି.ଏନ୍‌. ଶେଷାନ୍‌, ସମାଜସେବୀ ତଥା ମହାତ୍ମା ଗାନ୍ଧି ଫାଉଣ୍ଡେସନ୍‌ର ସଭାପତି ତୁଷାର ଗାନ୍ଧି ଏବଂ ବିଶିଷ୍ଟ ବୈଜ୍ଞାନିକ ଆର.ଏସ୍‌. ମାସେଲକର ପ୍ରମୁଖ ଅଛନ୍ତି।

ସମ୍ବନ୍ଧିତ ଖବର