ବାରିପଦା: ଆସୁଛି ପଞ୍ଚାୟତ ନିର୍ବାଚନ। ଆଉ ଏହାର ଅବ୍ୟବହିତ ପୂର୍ବରୁ ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚଳିତ ମାସ ୨୨ରେ ମୁଖ୍ୟମନ୍ତ୍ରୀଙ୍କର ବାରିପଦା ଗସ୍ତ ଚୁଡ଼ାନ୍ତ ହୋଇଛି। ଯଦିଓ ଏହି ଗସ୍ତ ସମ୍ପୂର୍ଣ୍ଣ ସରକାରୀ ତଥାପି ରାଜନୈତିକ ମହଲରେ ଏହା ବେଶ୍ ଗୁରୁତ୍ବ ବହନ କରୁଛି। ପ୍ରଥମେ ଗତମାସ ୮ ଏବଂ ପରେ ଚଳିତ ମାସ ୨୧ରେ ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତ ଯୋଜନା ହୋଇଥିଲା। ମାତ୍ର ବିଭିନ୍ନ କାରଣରୁ ଏହା ବାତିଲ ହୋଇଥିଲା। ସ୍ଥାନୀୟ ସହିଦ ସ୍ମୃତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ନବୀନ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ) ଅନ୍ତର୍ଗତ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ। ଏଥିସହିତ ଜିଲ୍ଲା ପାଇଁ ଏକାଧିକ ପ୍ରକଳ୍ପର ଉଦ୍ଘାଟନ ଏବଂ ଶୁଭାରମ୍ଭ କରିବାର ଯୋଜନା ରହିଛି।
ମାଲକାନଗିରି, ସୁନ୍ଦରଗଡ଼, ବଲାଙ୍ଗୀର, ପୁରୀ ସମେତ ଅନ୍ୟାନ୍ୟ କିଛି ଜିଲ୍ଲା ଗସ୍ତ ପରେ ଚଳିତ ମାସରେ ହିଁ ମୁଖ୍ୟମନ୍ତ୍ରୀଙ୍କର ମୟୂରଭଞ୍ଜ ଗସ୍ତ ଯୋଜନା ଚୁଡାନ୍ତ ହୋଇଛି। ରାଜନୈତିକ ଦୃଷ୍ଟିକୋଣରୁ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ଜିଲ୍ଲା ବିଜେଡି ପାଇଁ କିନ୍ତୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଗତ ପଞ୍ଚାୟତ ନିର୍ବାଚନରେ ମୟୂରଭଞ୍ଜରେ ବିଜେଡି ଯେପରି ଦଶା ଭୋଗିଥିଲା, ଚଳିତ ପଞ୍ଚାୟତ ନିର୍ବାଚନରେ କିନ୍ତୁ ତାହା ନଦୋହରାଇବା ଲକ୍ଷ୍ୟରେ ରହିଛି। ଏନେଇ ପୁରା ଜିଲ୍ଲାରେ ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ବିଜେଡି ଯୋଜନାବଦ୍ଧ ଭାବେ ସାଂଗଠନିକ କାର୍ଯ୍ୟକ୍ରମ ଜାରି ରଖିଛି।
ବିଶେଷକରି ଏଥର ପ୍ରତି ଜିଲ୍ଲାପରିଷଦ ଆସନ ଉପରେ ସର୍ବାଧିକ ଗୁରୁତ୍ବାରୋପ କରିଛି ଦଳ। ସେହିପରି ତୃଣମୂଳସ୍ତରରେ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନାର ପ୍ରଚାର ପ୍ରସାର ସହିତ ସାଧାରଣ ଭୋଟରଙ୍କୁ ବିଜେଡି ସହିତ ଯୋଡ଼ିହୋଇ ରହିବା ନିମନ୍ତେ ଦଳ ପକ୍ଷରୁ ସମସ୍ତ ପ୍ରୟାସ ଜାରି ରଖିଛି। ତେଣୁ ନବୀନଙ୍କ ଏହି ଗସ୍ତ ଦଳ ପାଇଁ ବଳ ଯୋଗାଇବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ରଖିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ହାତରେ ହେବାକୁ ଥିବା ଏକାଧିକ ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ଥର ସ୍ଥାପନ ମଧ୍ୟ ଦଳକୁ ନିର୍ବାଚନରେ ସହାୟକ ହେବ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନଙ୍କ ଗସ୍ତକୁ ନେଇ ବିଜେଡି ଶିବିରରେ ଉତ୍ସାହ ଦେଖାଦେଇଛି। ଏହି ଗସ୍ତ କାଳରେ ପ୍ରାୟ ୨୦ରୁ ଅଧିକ ମନ୍ତ୍ରୀ ବିଧାୟକ ବାରିପଦାରେ ଉପସ୍ଥିତ ରହିବେ। ଯାହାକି ଜିଲ୍ଲାରେ ଦଳକୁ ନିର୍ବାଚନମୁଖୀ କରିବ ବୋଲି ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/Bhubaneswar_Naveen-inaugurates-‘drink-from-tap-project-under-Sujal-Mission-for-Puri-residents.jpg)