ନଭେମ୍ବର ୮ରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ନେଇ ତେଜିଲା ରାଜନୀତି, ବିରୋଧ ପାଇଁ ଜୋରଦାର ପ୍ରସ୍ତୁତି

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା କେଗାଁ ଥନା ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଆନ୍ଦୋଳନ ତେଜୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ସମରସଜ୍ଜା କରିଛନ୍ତି ବିରୋଧୀ । ବିଜେପି ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ କରିବାକୁ ଦାବି କରିଥିବା ବେଳେ କଂଗ୍ରେସ ଜନତା କର୍ଫ୍ୟୁ ପାଇଁ ଆହ୍ୱାନ ଦେଇଛି । ମମିତା ହତ୍ୟା ମାମଲାରେ ସରକାରଙ୍କ ନୀରବତା ଓ ଦିବ୍ୟଶଙ୍କରଙ୍କୁ ନ ହଟାଇବା ବିରୋଧୀଙ୍କ ଅସନ୍ତୋଷ ବଢ଼ାଇ ଦେଇଛି । ତେବେ ବିଜୁ ସ୍ମାର୍ଟ କାର୍ଡ ବାଣ୍ଟିବାକୁ ଯାଉଥିବା ମୁଖ୍ୟମନ୍ତ୍ରୀ ନିଜ ନିକଟରେ ସ୍ଥାନୀୟ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବସାଉଛନ୍ତି କି ନାହିଁ, ତା ଉପରେ ସମସ୍ତଙ୍କ ନଜର ରହିଛି ।

ନଭେମ୍ବର ୮ରେ ବିଜୁ ସ୍ମାର୍ଟ କାର୍ଡ ବାଣ୍ଟିବାକୁ କଳାହାଣ୍ଡି ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମମିତା ମେହେର ହତ୍ୟା ମାମଲା ଯାହା ଏବେ ରାଜନୀତିର ସବୁଠାରୁ ବଡ ପ୍ରସଙ୍ଗ ପାଲଟିଛି ତାକୁ ଆୟୁଧ କରି ମୁଖ୍ୟମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ ଦେବାକୁ ପ୍ରସ୍ତୁତ ହୋଇଛନ୍ତି ବିରୋଧୀ ।

ମିଳିଥିବା ସୂଚନା ମୁତାବକ , ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମକୁ ବିରୋଧ କରିବ ବିଜେପି । ମମିତା ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଆଗାମୀ ସମସ୍ତ କାର୍ଯ୍ୟକ୍ରମକୁ ବୟକଟ କରିବାକୁ ଆହ୍ୱାନ କରିଛି ଦଳ । ନବୀନଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ କରି ଆରମ୍ଭ ହେବ ଏହି ସାମାଜିକ ବାସନ୍ଦର ଧାରା । ଏଥିପାଇଁ ଦଳର ତିନି ବରିଷ୍ଠ ନେତା ସୁରେଶ ପୂଜାରୀ, କେ. ଭି. ସିଂହଦେଓ ଏବଂ ବସନ୍ତ ପଣ୍ଡାଙ୍କୁ ଦାୟିତ୍ୱ ଦେଇଛି ବିଜେପି । ଏହାସହ ଆସନ୍ତା ୮ରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ସମୟରେ ରାଜ୍ୟର ୩୧୪ ସ୍ଥାନରେ କୁଶପୁତ୍ତଳିକା ଦାହ କରିବାକୁ ଯୋଜନା କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କୁ ଘେରିବାକୁ ବିଜେପି ରଣନୀତି କରୁଛି । ହେଲେ ରାଜ୍ୟ ବିଜେପିର ପୋଷ୍ଟର ବଏ କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିନ୍ତୁ ଏହି ମାମଲାରେ ନୀରବତା ଅବଲମ୍ବନ କରିବା ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି । କେବଳ ଗୋଟିଏ ଟ୍ୱିଟ୍ ଛାଡିଦେଲେ ଆଉ କୈାଣସି ବୟାନ ବି ଦେଇନାହାନ୍ତି କେନ୍ଦ୍ରମନ୍ତ୍ରୀ ।

ଏପଟେ କଂଗ୍ରେସ ମଧ୍ୟ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିକୁ ଜୋରଦାର କରିଛି । ନହେଲେ ତଦନ୍ତରେ ସ୍ୱଛତା ଆସିବ ନାହିଁ । ମାମଲାରେ ପୁଲିସ ଯେଭଳି ଛାନଭିନ୍ କରୁଛି, ସେଥିରେ ଅନେକ ତ୍ରୁଟି ବିଚ୍ୟୁତି ରହୁଥିବା ଦଳ ତରଫରୁ ଅଭିଯୋଗ କରାଯାଇଛି । ସେପଟେ ବିଜେଡି କହିଛି, ବିରୋଧୀ କେବଳ ରାଜନୈତିକ ଅସ୍ତିତ୍ୱ ବଜାୟ ରଖିବା ପାଇଁ ମହିଳା ସୁରକ୍ଷା କଥା ଉଠାନ୍ତି ହେଲେ ଏଥିରେ କୈାଣସି ଆନ୍ତରିକତା ନଥାଏ ।

ବଡ କଥା ହେଉଛି, ଦିନକ ପରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତରେ ଯାଉଛନ୍ତି । ଜିଲ୍ଲାର ମନ୍ତ୍ରୀ ହେଉଛନ୍ତି କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ପୂର୍ବରୁ ମୁଖ୍ୟମନ୍ତ୍ରୀ ସ୍ମାର୍ଟ କାର୍ଡ ବାଣ୍ଟିବାକୁ ଯେଉଁ ସବୁ ଜିଲ୍ଲାକୁ ଯାଇଥାନ୍ତି ସେହି ମଞ୍ଚରେ ସ୍ଥାନୀୟ ମନ୍ତ୍ରୀଙ୍କୁ ଦେଖିବାକୁ ମିଳେ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ସମସ୍ତଙ୍କ ନଜର ରହିବ କ୍ୟାପଟେନ ରହିବେ କେଉଁଠି? କାରଣ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମୟୁରଭଞ୍ଜ ଗସ୍ତ ବେଳେ ଦିବ୍ୟଶଙ୍କରଙ୍କୁ ଶେଷ ମୁହୁର୍ତ୍ତରେ କାର୍ଯ୍ୟକ୍ରମରୁ ଦୂରେଇ ରଖାଯାଇଥିଲା ।

ସମ୍ବନ୍ଧିତ ଖବର