ଅଲିମ୍ପିକ୍ସରେ ପିଭି ସିନ୍ଧୁଙ୍କ ପଦକ ହାସଲ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସ-୨୦୨୦ରେ ଆଜି କାଂସ୍ୟ ପଦକ ଜିତିଥିବା ଭାରତୀୟ ସଟଲର ପିଭି ସିନ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ନବୀନ ଟୁଇଟ କରି କହିଛନ୍ତି, ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁଙ୍କର ଏହା ହେଉଛି ଐତିହାସିକ ବିଜୟ । ତାଙ୍କର ଅଲିମ୍ପିକ୍ସରେ ପଦକ ଜିତିବା ଅନ୍ୟମାନଙ୍କୁ ପ୍ରେରଣାର ବାର୍ତ୍ତା ଦେବ ।

 

ସୂଚନାଯୋଗ୍ୟ, ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ସଟଲର ପିଭି ସିନ୍ଧୁ ଆଜି ଚମକପ୍ରଦ ପ୍ରଦର୍ଶନ କରିଛନ୍ତି । ସେ ଚୀନର ହେ ବିଙ୍ଗିଆଓଙ୍କୁ ୨ଟି ସେଟ୍ (୨୧-୧୩, ୨୧-୧୫ )ରେ ପରାସ୍ତ କରିଛନ୍ତି । ବ୍ରୋଂଜ ପଦକ ଜିତିବା ପରେ ସେ ୨ଟି ଅଲିମ୍ପିକ୍ସରେ ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା ପାଲଟିଛନ୍ତି । ଏହା ପୂର୍ବରୁ ସେ ରିଓ ଅଲିମ୍ପିକ୍ସ-୨୦୧୬ରେ ପଦକ ଜିତିଥିଲେ ।

 

ସିନ୍ଧୁଙ୍କୁ ସଫଳତା ମିଳିବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ କରିଛନ୍ତି ଯେ, ଦୁଇଟି ଅଲିମ୍ପିକ୍ ଖେଳରେ ପଦକ ଜିତିବାରେ ପିଭି ସିନ୍ଧୁ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି । ଭାରତ ପାଇଁ ଗୌରବ ଆଣିଥିବାରୁ ତାଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ।

 

ପ୍ରଧାନମନ୍ତ୍ରୀ ଟ୍ୱିଟରେ ଲେଖିଛନ୍ତି ଯେ, ପିଭି ସିନ୍ଧୁଙ୍କ ଚମତ୍କାର ପ୍ରଦର୍ଶନ ଦ୍ୱାରା ଆମେ ସମସ୍ତେ ଆନନ୍ଦିତ। ଟୋକିଓ ଅଲିମ୍ପିକ୍ସ-୨୦୨୦ରେ ବ୍ରୋଞ୍ଜ ଜିତିଥିବାରୁ ତାଙ୍କୁ ଅଭିନନ୍ଦନ।

ସମ୍ବନ୍ଧିତ ଖବର