ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ଦାବି କରି ପ୍ରଧାନମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ଦାବି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ନବୀନ ଦର୍ଶାଇଛନ୍ତି ଯେ, ୧୯୯୦ ପରଠାରୁ ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଆସୁଛି। ଫଳରେ ରାଜ୍ୟର ୮୦ ପ୍ରତିଶତରୁ ଅଧିକ ଅଂଚଳ ଏବଂ ୯୦ ପ୍ରତିଶତ ଜନସଂଖ୍ୟା ପ୍ରଭାବିତ ହେଉଛନ୍ତି।

ଚିଠିରେ ନବୀନ ଲେଖିଛନ୍ତି, ଓଡ଼ିଶାର ପ୍ରାକୃତିକ ସଂପଦରୁ ଦେଶକୁ ବହୁତ ଲାଭ ହେଉଛି। ମାତ୍ର କେନ୍ଦ୍ର ସରକାରଙ୍କ ଦ୍ୱାରା ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ଅବହେଳିତ ହେଉଛି। ରେଳବାଇ, ବ୍ୟାଙ୍କିଙ୍ଗ୍‌, ଜାତୀୟ ରାଜପଥ, ବିମାନ କ୍ଷେତ୍ର ଆଦିରେ ଓଡ଼ିଶା ଅବହେଳା ହୋଇଛି। ତେଣୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ମିଳିଳେ ଶିଳ୍ପର ବିକାଶ ହେବା ସହିତ ନିଯୁକ୍ତି ସୁଯୋଗ ବଢ଼ିବ।

ସୂଚନାଯୋଗ୍ୟ ପୂର୍ବରୁ ଗତ ନଭେମ୍ବର ୨ରେ ବିଜେଡି ପକ୍ଷରୁ ଆୟୋଜିତ ଜନ ସଂପର୍କ ପଦଯାତ୍ରାରେ ନବୀନ କହିଥିଲେ, କେନ୍ଦ୍ର ସରକାରଙ୍କ ୨୦୧୪ ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବା ମୁଖ୍ୟ ଏଜେଣ୍ଡା ଥିଲା । ଏହା ହୋଇଥିଲେ ରାଜ୍ୟର ଅନେକ ନିଯୁକ୍ତି ସୁଯୋଗ ଅଧିକ ସୃଷ୍ଟି ହୋଇ ପାରିଥାନ୍ତା। କିନ୍ତୁ ସବୁ ଆଶା କେବଳ ଆଶାରେ ହିଁ ରହିଯାଇଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ କେନ୍ଦ୍ର ସରକାର ଚୌକି ପାଇଁ ନିଜର ପ୍ରତିଶ୍ରୁତିକୁ ଭୁଲିଯାଇଛନ୍ତି। ଏହାସହ ନବୀନ କହିଥିଲେ ଯେ, ବିଜେପି ସହିତ ୨୦୦୯ ପର୍ଯ୍ୟନ୍ତ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ପାଇଁ ମେଣ୍ଟ ହୋଇଥିଲା। ଓଡ଼ିଶା ପ୍ରତି ବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି । ଏହା କ’ଣ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇବା ପାଇଁ କାରଣ ନୁହେଁ କି ?

ସମ୍ବନ୍ଧିତ ଖବର