ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟର ମନରେଗା ଶ୍ରମିକଙ୍କୁ ୨୧ ଦିନର ମଜୁରୀ ସହାୟତା ଦାବି କଲେ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି । ଚିଠିରେ ନବୀନ ମନରେଗା ଯୋଜନାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ୨୧ ଦିନର ମଜୁରୀ ଦେବାକୁ ଉଲ୍ଲେଖ କରିଛନ୍ତି । ଓଡ଼ିଶାର ୩୬,୧୦,୭୯୭ ମନରେଗା ଶ୍ରମିକ ତାଲାବନ୍ଦ ଫଳରେ କାମହରା ହୋଇଛନ୍ତି। ସେମାନଙ୍କୁ ଜୀବିକା ନିର୍ବାହ  ଲାଗି ୨୧ ଦିନର ମଜୁରୀ ଦେବା ଲାଗି ଆବଶ୍ୟକ ୩୮୦.୩୯ କୋଟି  ପ୍ରଦାନ ଲାଗି ଦାବି କରିଛନ୍ତି ନବୀନ। ଏହି ଅର୍ଥ ଶ୍ରମିକମାନଙ୍କୁ  ବେକାରି ଭତ୍ତା ଭାବେ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ନବୀନ।

କରୋନା ଏବେ ବିଶ୍ୱ ମହାମାରୀ ଭାବେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଆଉ ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଓଡ଼ିଶାବାସୀ ପୂର୍ଣ୍ଣ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ‘ଜନତା କର୍ଫ୍ୟୁ’ ହେଉ କିମ୍ବା ୨୧ ଦିନିଆ ଲକ୍ ଡାଉନ୍ ମୋ ସରକାର ସଚେତନତା ଏବଂ ସୁରକ୍ଷା ପାଇଁ ଲୋକଙ୍କ ସେବାରେ ରହିଛି । ହେଲେ ତାଲାବନ୍ଦ ସମୟରେ ଖାସ୍ କରି ଓଡ଼ିଶାର ୩୬ ଲକ୍ଷ ୧୦ ହଜାର ୭୯୭ ଜଣ ମନରେଗା ଶ୍ରମିକ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି । ତେଣୁ ସେମାନଙ୍କୁ ୨୧ ଦିନିଆ ପାରିଶ୍ରମିକ ପ୍ରଦାନ କରିବାକୁ ଚିଠିରେ ଅନୁରୋଧ କରିଛନ୍ତୀ ନବୀନ ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭାଇରସ ସଂକ୍ରମଣ ପାଇଁ ଭାରତକୁ ୨୧ ଦିନ ପାଇଁ ଲକଡାଉନ ଘୋଷଣା କରିଛନ୍ତି । ଏହି ଲକଡାଉନ ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇଥିବା ବେଳେ ଏପ୍ରିଲ ୧୪ ଯାଏଁ ଜାରି ରହିବ ।

ସମ୍ବନ୍ଧିତ ଖବର