ଅନ୍ତଃରାଜ୍ୟ ତନଖି ଫାଟକରେ ସବୁ ମାଲଗାଡ଼ିକୁ ଛାଡ଼ିବା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ହେଲ୍ପଲାଇନ ଜାରି କରିବା ପାଇଁ ନବୀନଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର:  ଅନ୍ତଃରାଜ୍ୟ ତନଖି ଫାଟକରେ ମାଲଗାଡ଼ିକୁ ଛାଡ଼ିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି । ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଦେଶବ୍ୟାପି ୨୧ ଦିନ ଯାଏଁ ଲକଡାଉନ ଘୋଷଣାକୁ ମୁଁ ସ୍ୱାଗତ ଜଣାଉଛି । ଓଡ଼ିଶା ସରକାର ଏଥିପାଇଁ ଅତ୍ୟାବଶ୍ୟକ ପଦକ୍ଷେପ ନେଇଛନ୍ତି । ଅନ୍ତଃରାଜ୍ୟ ତନଖି ଫାଟକରେ ସବୁ ମାଲଗାଡ଼ିଗୁଡ଼ିକ ଅଟକି ରହିଛି । ଫଳରେ ରାଜ୍ୟକୁ ମାଲଗାଡ଼ିଗୁଡ଼ିକ ଆସିପାରୁ ନାହିଁ । ଏଗୁଡ଼ିକ ଛାଡ଼ିବାକୁ ଅନୁମତି ଦିଆଯାଉ । ଅନ୍ତଃରାଜ୍ୟ ଚେକ ଗେଟରେ କରୋନା ଲାଗି କଟକଣା ହଟାଇବାକୁ ଅନୁରୋଧ କରିଛନ୍ତି ନବୀନ । ଏହା ଦ୍ୱାରା ଆବଶ୍ୟକ ସାମଗ୍ରୀ ଯୋଗାଣ ସହଜ ହୋଇପାରିବ ।

ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ହେଲ୍ପଲାଇନ ଜାରି କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ବିଦେଶରେ ରହୁଥିବା ଓଡ଼ିଆ ଲୋକଙ୍କ ହେଲ୍ପଲାଇନ ନମ୍ବର ଜାରି କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ପୂରା ଭାରତକୁ ଲକଡାଉନ ଘୋଷଣା କରିଛନ୍ତି । ଫଳରେ ଭାରତ ଏବେ ୨୧ ଦିନ ପର୍ଯ୍ୟନ୍ତ ଲକଡାଉନ ରହିବ । ଜରୁରୀକାଳୀନ ସେବା ଅର୍ଥାତ, ମେଡିକାଲ, ପୁଲିସ, ଡେଲିଭରି, ସଫାଇ ସେବା ଚାଲୁ  ରହିବ । ସେହିଭଳି ଗ୍ରୋସରୀ ଦୋକାନ, ପେଟ୍ରୋଲ ପମ୍ପ, ଡାକଘର, ଗ୍ୟାସ ଏଜେନ୍ସି ଆଦି ମଧ୍ୟ ଖୋଲା ରହିବ । ଅନ୍ୟ ଜିନିଷ ସବୁ ବନ୍ଦ ରହିବ ।

ସମ୍ବନ୍ଧିତ ଖବର