ଜେଇଇ ପଞ୍ଜିକରଣ ତାରିଖ ୧୦ ଦିନ ଘୁଞ୍ଚାଇବାକୁ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କୁ ପତ୍ର ଲେଖିଲେ ନବୀନ

ଭୁବନେଶ୍ୱର: ଜଏଣ୍ଟ୍‌ ଇଞ୍ଜିନିୟରିଂ ଏଣ୍ଟ୍ରାନ୍ସ(ଜେଇଇ) ପଞ୍ଜିକରଣ ତାରିଖ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ୧୦ ଦିନ ଘୁଞ୍ଚାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କୁ ପତ୍ର ଲେଖି ନିବେଦନ କରିଛନ୍ତି। ପୂର୍ବରୁ ଜେଇଇ ପଞ୍ଜିକରଣ ତାରିଖ ମେ ୩ରୁ ମେ୯ ରହିଥିଲା। ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବରୁ ରାଜ୍ୟର ଅନେକ ସ୍ଥାନରେ ବିଜୁଳି, ମୋବାଇଲ୍‌ ଓ ଇଣ୍ଟରନେଟ୍‌ ସେବା ବାଧାପ୍ରାପ୍ତ ହୋଇଥିବା କାରଣରୁ ଛାତ୍ରଛାତ୍ରୀମାନେ ସେମାନଙ୍କ ନାମ ପଞ୍ଜିକରଣ କରିବାକୁ ବଞ୍ଚିତ ହେବେ। ଏହି କାରଣରୁ ମୁଖ୍ୟମନ୍ତ୍ରୀ ନବୀନ କେନ୍ଦ୍ରଙ୍କୁ ଚିଠି ଲେଖିଛନ୍ତି।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ସକାଳ ୮ଟାରୁ ସାମୁଦି୍ରିକ ଝଡ଼ ‘ଫନି’ ପୁରୀରେ ଲ୍ୟାଣ୍ଡ୍‌ଫଲ୍‌ କରିବା ପରେ ଭୁବନେଶ୍ୱର, କଟକ, ଗଞ୍ଜାମ, ବାଲେଶ୍ୱର, ଭଦ୍ରକ, ଜାଜପୁର, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାକୁ ବିଶେଷ ପ୍ରଭାବିତ କରିଥିଲା। ଏହି ଝଡ଼ରେ ହଜାର ହଜାର ଟାଓ୍ଵାର, ବିଦ୍ୟୁତ୍‌ ଖୁଣ୍ଟି ଓ ଗଛ ଭାଙ୍ଗି ପଡ଼ିଛି। ରାଜଧାନୀ ଭୁବନେଶ୍ୱର ଓ ଶ୍ରୀକ୍ଷେତ୍ର ପୁରୀରେ ଏବେ ବି ଜଳ ଯୋଗାଣ, ବିଜୁଳି, ମୋବାଇଲ୍‌ ଓ ଇଣ୍ଟର୍‌ନେଟ୍‌ ସେବା ସ୍ୱାଭାବିକ ହୋଇପାରି ନାହିଁ।

ସମ୍ବନ୍ଧିତ ଖବର