ଭୁବନେଶ୍ବର: ଛଅଦିନିଆ ସିଙ୍ଗାପୁର ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଓ ତାଙ୍କ ଟିମ୍ ସିଙ୍ଗାପୁରରେ ଅବସ୍ଥାପିତ ଭାରତ ଉଚ୍ଚାୟୁକ୍ତ ଡକ୍ଟର ଶିଳ୍ପକ ଅମ୍ବୁଲେ, ବିଭିନ୍ନ ଶିଳ୍ପସଂସ୍ଥାର ମୁଖ୍ୟ ଓ ପ୍ରତିନିଧିଙ୍କୁ ଭେଟିଛନ୍ତି। ସେମାନଙ୍କ ସହ ରାଜ୍ୟରେ ରହିଥିବା ନିବେଶ ଯୋଜନା ସମ୍ପର୍କରେ ଆଲୋଚନା କରିଛନ୍ତି। ଉଚ୍ଚାୟୁକ୍ତ ଡ. ଆମ୍ବୁଲେଙ୍କ ସହ ଦୁଇ ଦେଶ ମଧ୍ୟରେ ଥିବା ଦ୍ବିପାକ୍ଷିକ ବାଣିଜ୍ୟ ସମ୍ପର୍କ ବିଷୟରେ ଆଲୋଚନା ହୋଇଛି। ରସାୟନ ଓ ପେଟ୍ରୋକେମିକାଲ୍ସ, ଅକ୍ଷୟ ଶକ୍ତି, ସବୁଜ ଇନ୍ଧନ ଓ ଦକ୍ଷତା ବିକାଶ କ୍ଷେତ୍ରରେ ଦୁଇ ଦେଶର ସହଯୋଗିତାରେ ଓଡ଼ିଶା କିଭଳି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ସେ ବିଷୟରେ ଉଚ୍ଚାୟୁକ୍ତଙ୍କୁ ମୁଖ୍ୟମନ୍ତ୍ରୀ ଅବଗତ କରିଛନ୍ତି।
ରବିବାର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସିଟି ମେଟ୍ରିକ୍ସର ପ୍ରତିଷ୍ଠାତା ଏଡ୍ୱାର୍ଡ ମୋର୍ଟନ, ଭିସା ଗ୍ରୁପ୍ର ନିର୍ଦ୍ଦେଶକ ବିବେକ ଅଗ୍ରୱାଲ୍, ଓରିଣ୍ଡ୍ ସିଙ୍ଗାପୁର ପିଟିଇ ଲିମିଟେଡ୍ର ଅଧ୍ୟକ୍ଷ ରବିନ୍ ଝୁନ୍ଝୁନ୍ୱାଲା, ସେମ୍ବକର୍ପ ଇଣ୍ଡଷ୍ଟ୍ରିଜ୍ର ଗ୍ରୁପ୍ ସଭାପତି ଓ ସିଇଓ ୱଙ୍ଗ କିମ୍ ୟିନ୍, ୟୁବିସିଟିର ଅଧ୍ୟକ୍ଷ ବିସି ଟାନ୍, ଆଇହବ୍ ଆଇଏନ୍ସିର ପ୍ରତିଷ୍ଠାତା ଓ ସିଇଓ ସୁଶାନ୍ତ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ସିଟି ମେଟ୍ରିକ୍ସର ଶ୍ରୀ ମୋର୍ଟନଙ୍କ ସହ ଆଇଟି ଓ ତତ୍ ସଂକ୍ରାନ୍ତୀୟ ଶିଳ୍ପ, ମେଡିକାଲ୍ ଉପକରଣ ଓ ସ୍ମାର୍ଟ ସିଟି ସମାଧାନ ଉପରେ ଆଲୋଚନା ହୋଇଥିଲା। ଓଡ଼ିଶା ପରିଦର୍ଶନ କରି ସେଠାରେ ରହିଥିବା ସୁଯୋଗ ସନ୍ଧାନ କରିବାକୁ ଶ୍ରୀ ମୋର୍ଟନଙ୍କୁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରିଛନ୍ତି। ଦକ୍ଷତା ବଢ଼ାଇବା ଏବଂ ଫେରୋକ୍ରୋମ୍ କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ତଥା ମୂଲ୍ୟଯୁକ୍ତ ଉତ୍ପାଦ ବଢ଼ାଇବା ଲାଗି ଭିସା ଗ୍ରୁପ୍ର ଶ୍ରୀ ଅଗ୍ରୱାଲ୍ଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର ଜୈବ ସାର କ୍ଷେତ୍ରରେ ନିବେଶ କରିବାକୁ ମୁଖ୍ୟମନ୍ତ୍ରୀ ଓରିଣ୍ଡ୍ ସିଙ୍ଗାପୁରକୁ ଅଧ୍ୟକ୍ଷଙ୍କୁ କହିଛନ୍ତି। ରାଜ୍ୟରେ ଏକ କାରଖାନା ସ୍ଥାପନ କଲେ ସବୁ ପ୍ରକାର ସହଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।
ସେହିପରି, ସିଙ୍ଗାପୁରର ଅକ୍ଷୟ ଶକ୍ତି କ୍ଷେତ୍ରରେ ହୋଇଥିବା ବିକାଶ ସମ୍ପର୍କରେ ସେମ୍ବକର୍ପ ଇଣ୍ଡଷ୍ଟ୍ରିଜ୍ର ଗ୍ରୁପ୍ ସଭାପତି ତଥା ସିଇଓ ୱଙ୍ଗ୍ କିମ୍ ୟିନ୍ଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ଶିଳ୍ପପତି ସମ୍ପଦ ସ୍ବାଇଁ ଆଲୋଚନା କରିଛନ୍ତି। ରାଜ୍ୟରେ କମ୍ପାନି ସ୍ଥାପନ କରିବାକୁ ଯାଉଥିବା ଗ୍ରିନ୍ ଆମୋନିଆ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଥିବା ସମ୍ପର୍କରେ କମ୍ପାନି ଅଧିକାରୀଙ୍କୁ ଅବଗତ କରାଯାଇଥିଲା। ୨୦୨୫ ଜାନୁଆରି ୨୮-୨୯ରେ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍ରେ ଅଂଶଗ୍ରହଣ କରିବାକୁ ସେ କମ୍ପାନି ଅଧିକାରୀମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଭାବେ ଏହା ମୋର ପ୍ରଥମ ବିଦେଶ ଗସ୍ତ। ସଫଳ ଶିଳ୍ପ ପରିବେଶ ଓ ଅଭିନବ ଅଭ୍ୟାସ ପାଇଁ ପରିଚିତ ଥିବାରୁ ଓଡ଼ିଶା ବିଜନେସ୍ ମିଟ୍ ଲାଗି ଆମେ ସିଙ୍ଗାପୁରକୁ ଚୟନ କରିଛୁ। ଭାରତ ଓ ସିଙ୍ଗାପୁର ମଧ୍ୟରେ ଅର୍ଥନୈତିକ, ରଣନୈତିକ ଓ ସାଂସ୍କୃତିକ ସମ୍ପର୍କ ବେଶ୍ ଦୃଢ଼। ଓଡ଼ିଶା ସେହି ସହଯୋଗିତାକୁ ଆହୁରି ଉନ୍ନତ କରିବାକୁ ଚାହୁଛି। ହସ୍ତତନ୍ତ, ସିଫୁଡ୍, ଦକ୍ଷତା ବିକାଶ କ୍ଷେତ୍ରରେ ନିବେଶକମାନଙ୍କୁ ସବୁପ୍ରକାର ସହଯୋଗ ଦେବାକୁ ଆମ ସରକାର ପ୍ରସ୍ତୁତ ବୋଲି ସେ କହିଛନ୍ତି। ସେହିପରି, ଓଡ଼ିଶାକୁ ଏକ ପ୍ରମୁଖ ନିବେଶସ୍ଥଳ ଭାବେ ଉପସ୍ଥାପନ କରି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି ଯେ ଏହି ଆଲୋଚନା ଆମ ଶିଳ୍ପ ବ୍ୟବସ୍ଥାରେ ଉନ୍ନତି ଆଣିବ ଓ ବିଦେଶରୁ ଅଧିକ ନିବେଶ ହାସଲ କରିବାରେ ସହାୟକ ହେବ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ତାଙ୍କ ଟିମ୍ ସିଙ୍ଗାପୁରରେ ଓଡ଼ିଶା ବିଜନେସ୍ ମିଟ୍, ନିବେଶ ପ୍ରସାର ରୋଡ୍ ସୋ’ରେ ଭାଗ ନେବେ। ଜୁରଙ୍ଗ କମ୍ପ୍ଲେକ୍ସ ଭଳି ବିଶ୍ବସ୍ତରୀୟ ଶିଳ୍ପ ଓ ଭିତ୍ତିଭୂମି ବ୍ୟବସ୍ଥା ସହ ବିଭିନ୍ନ କଳ କାରଖାନା ବୁଲି ଦେଖିବେ। ସେଠାରେ ବାସ କରୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ଭାବ ବିନିମୟ କରିବେ। ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧିଙ୍କ ସହ ପ୍ରତ୍ୟକ୍ଷ ସାକ୍ଷାତକାର, ସରକାର-ବ୍ୟବସାୟ ବୈଠକ ଆଦି ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି।