ଜଳସଂପଦ ବିଭାଗର ରୂପାନ୍ତର କାର୍ଯ୍ୟକ୍ରମକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ, ରୂପାନ୍ତର ଆଣିବାକୁ ସବୁ ବିଭାଗକୁ ଦେଲେ ପରାମର୍ଶ

ପ୍ରଯୁକ୍ତି ବିଦ୍ୟା, ଟିମ୍‌ ୱାର୍କ, ଦାୟିତ୍ବବାନ ପୁନର୍ବାସ ନୀତି, ଶ୍ରମିକ କଲ୍ୟାଣ ଆଦିର ସଫଳ ପ୍ରୟୋଗ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ସରକାରଙ୍କ ରୂପାନ୍ତର ଶୃଙ୍ଖଳାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜିର ବୈଠକରେ ଜଳସଂପଦ ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ ବିଭାଗର ରୂପାନ୍ତର ଉପକ୍ରମ ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ । ଏହି ଉପସ୍ଥାପନା ଅନୁଯାୟୀ ୨୦୨୪ ସୁଦ୍ଧା ରାଜ୍ୟରେ ୧୫ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି । ଏଥିମଧ୍ୟରୁ ଚଳିତ ବର୍ଷ ୪ଟି, ୨୦୨୩ରେ ୪ଟି ଏବଂ ୨୦୨୪ରେ ୭ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହିସବୁ ପ୍ରକଳ୍ପରେ ପ୍ରଯୁକ୍ତି ବିଦ୍ୟା, ଟିମ୍‌ ୱାର୍କ, ଦାୟିତ୍ବବାନ ପୁନର୍ବାସ ନୀତି, ଶ୍ରମିକ କଲ୍ୟାଣ ଆଦିର ସଫଳ ପ୍ରୟୋଗ କରାଯାଇଛି। ଏହାଦ୍ବାରା ଓଡିଶାର ଜଳସଂପଦ କ୍ଷେତ୍ରରେ ଏକ ରୂପାନ୍ତର ଆସିପାରିବ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜଳସେଚନ ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତା କ୍ଷେତ୍ରରେ ୫-ଟି କାର୍ଯ୍ୟକ୍ରମର ସଫଳ ପ୍ରୟୋଗ କରି ବହୁ ଦିନର ପ୍ରକଳ୍ପ ଗୁଡିକୁ ସଂପୂର୍ଣ୍ଣ କରିବା ପାଇଁ ପଦକ୍ଷେପ ନେଇଥିବାରୁ ଜଳସଂପଦ ବିଭାଗ ର ପ୍ରଶଂସା କରିଥିଲେ ଏବଂ ବିଭାଗୀୟ ଇଞ୍ଜିନିୟରମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଅନ୍ୟସବୁ ବିଭାଗ ଏହିପରି ଅଭିନବ ପ୍ରୟୋଗରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ବଲାଂଗୀର, କେନ୍ଦୁଝର ଓ ମୟୁରଭଂଜ ଆଦି ଜିଲ୍ଲାର ଜିଲ୍ଲାପାଳମାନେ ସେଠାରେ ଚାଲିଥିବା ଜଳସେଚନ ପ୍ରକଳ୍ପ ଗୁଡିକରେ ବିସ୍ଥାପନ ପ୍ରକ୍ରିୟାକୁ କିପରି ତ୍ବରାନ୍ବି କରାଯାଇଛି, ସେ ସଂପର୍କରେ ସୂଚନା ଦେଇଥିଲେ। ଆଲୋଚନା ପର୍ଯ୍ୟାଲୋଚନା, ସମ୍ବେଦନଶୀଳ ବ୍ୟବସ୍ଥା ଓ ଲୋକଙ୍କ ଭିତରେ ଭରସା ସୃଷ୍ଟି ଜରିଆରେ ବିସ୍ଥାପନ ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ ।

ଏହି ଉପସ୍ଥାପନରେ ଦେଓ ପ୍ରକଳ୍ପ, ଲୋୟର ସୁକତେଲ ପ୍ରକଳ୍ପ, ସୁବର୍ଣ୍ଣରେଖା, କାନୁପୁର, ଛେଳିଗଡ, ରେଙ୍ଗାଲି ଦକ୍ଷିଣ କେନାଲ, ରେଙ୍ଗାଲି ବାମ କେନାଲ ଏବଂ ଆହୁରି ଅନେକ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସୂଚନା ଦିଆଯାଇଥିଲା । ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ପ୍ରୟୋଗ ଯଥା–ଭୂତଳ ପାଇପ ଲାଇନ ବ୍ୟବସ୍ଥାର ପ୍ରୟୋଗ, ଜିଓ ସିନ୍ଥେଟିକ୍‌ ମେଟରର୍ସ ଲାନିଙ୍ଗ, ସ୍କାଡା, ସ୍ବୟଂକ୍ରିୟ ଜଳପରିଚାଳନା ଆଦି ବିଭିନ୍ନ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ସଂପର୍କରେ ସୂଚନା ଦିଆଯାଇଥିଲା । ଇଂଜିନିୟରିଂ ଜ୍ଞାନକୌଶଳ ବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ସର୍ବନିମ୍ନ ସ୍ତର ପର୍ଯ୍ୟନ୍ତ ତୁରନ୍ତ ନିଷ୍ପତ୍ତି ଓ ଟିମ୍‌ ୱାର୍କ, ଦାୟିତ୍ବବାନ ପୁନର୍ବାସ, ସମ୍ବେଦନଶୀଳ ଯୋଗାଯୋଗ ସଂପର୍କରେ ଉପସ୍ଥାପନା ରଖାଯାଇଥିଲା ।

ପ୍ରାରମ୍ଭିକ ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କହିଲେ ଯେ ମୁଖ୍ୟମନ୍ତ୍ରୀ ସାଧାରଣ ଜୀବନରେ ସବୁବେଳେ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଇଆସିଛନ୍ତି । ସ୍ବଚ୍ଛତାର ସହ ବିଭିନ୍ନ ଅଭିନବ ଉପାୟରେ ରାଜ୍ୟର ବିକାଶ ପାଇଁ ପଦକ୍ଷେପ ନେଲେ, ମୁଖ୍ୟମନ୍ତ୍ରୀ ସବୁବେଳେ ତାଙ୍କର ସହଯୋଗ ଓ ସହାୟତା ଯୋଗାଇବାକୁ ପ୍ରସ୍ତୁତ ବୋଲି ସେ କହିଥିଲେ । ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଜଳସେଚନ ପ୍ରକଳ୍ପଗୁଡିକ ଯେଭଳି ଭାବରେ ଅଗ୍ରଗତି କରୁଛି, ଆଗାମୀ ୨-୩ ବର୍ଷ ମଧ୍ୟରେ ଏହା ଏକ ଶସ୍ୟଶ୍ୟାମଳା ଜିଲ୍ଲା ଭାବରେ ପ୍ରସିଦ୍ଧି ଅର୍ଜନ କରିବ ବୋଲି ସେ କହିଥିଲେ ।

ଯାଜପୁର ଜିଲ୍ଲାରେ ୫-ଟି ସ୍କୁଲ ରୂପାନ୍ତରର ସହଯୋଗ ନେଇ ସ୍କୁଲ ଗୁଡିକରେ ମିଶନ ଶକ୍ତିର ମହିଳା ମାନଙ୍କୁ ଅଭିନବ ଉପାୟରେ କଂପ୍ୟୁଟର ଶିକ୍ଷା ପ୍ରଦାନ ସଂପର୍କରେ ଏକ ଭିଡିଓ ଚିତ୍ର ପ୍ରଦର୍ଶନ କରାଯାଇଥିଲା । ଏହାଦ୍ବାରା ମିଶନ ଶକ୍ତିର ମହିଳା ମାନେ ଡିଜିଟାଲ ଶିକ୍ଷା ପାଇପାରୁଛନ୍ତି । ବୈଠକରେ ଏହି ଅଭିନବ କାର୍ଯ୍ୟକ୍ରମର ପ୍ରଶଂସା କରାଯାଇଥିଲା । ବୈଠକରେ ଅର୍ଥମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, ନଗର ଉନ୍ନୟନ ଓ ଗୃହନିର୍ମାଣ ମନ୍ତ୍ରୀ, ଶକ୍ତି ମନ୍ତ୍ରୀ, ଜଳସଂପଦ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଉନ୍ନୟନ କମିସନର ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର