ଭୁବନେଶ୍ୱର: କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ତଥା ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ଉଭୟଙ୍କ ମଧ୍ୟରେ ଓଡ଼ିଶାରେ ରେଳ ଯୋଗାଯୋଗ ଓ ଆଇଟି ଶିଳ୍ପ ବିକାଶ ନେଇ ଆଲୋଚନା ହୋଇଛି। ଆଲୋଚନାରୁ ଜଣାପଡ଼ିଛି ଯେ ଓଡ଼ିଶାରେ ଏବେ ୪୮ଟି ନୂଆ ରେଳ ପ୍ରକଳ୍ପର ନିର୍ମାଣ କାମ ଚାଲିଛି। ଯେଉଁଥିରେ ୭୩ ହଜାର ୭୨୩ କୋଟି ଟଙ୍କା ବିନିଯୋଗ କରାଯାଉଛି। ନିକଟରେ କେନ୍ଦ୍ର କ୍ୟାବିନେଟ୍ରେ ୮ଟି ନୂଆ ପ୍ରକଳ୍ପ ଯଥା ଗୁଣୁପୁର-ଥେରୁବାଲି ନୂଆ ଲାଇନ, ଜୁନାଗଡ଼-ନବରଙ୍ଗପୁର ନୂଆ ଲାଇନ, ମାଲକାନଗିରି-ପାଣ୍ଡୁରଙ୍ଗପୁରମ୍(ଭାୟା ଭଦ୍ରାଚଲମ୍) ନୂଆ ଲାଇନ, ବାଦାମ ପାହାଡ଼-କେନ୍ଦୁଝରଗଡ ନୂଆ ଲାଇନ, ବାଙ୍ଗିରୀପୋଷୀ-ଗୋରୁମହିଷାଣୀ ନୂଆ ଲାଇନ, ବୁରାମର-ଚକୁଳିଆ ନୂଆ ଲାଇନ, ସରଡେଗା-ଭାଲୁମୁଣ୍ଡା ଡବଲ ଲାଇନ ଓ ବରଗଡ ରୋଡ୍-ନୂଆପଡ଼ା ରୋଡ୍ ନୂଆ ଲାଇନକୁ ଅନୁମୋଦନ କରାଯାଇଛି।
ସେମିକଣ୍ଡକ୍ଟର ଶିଳ୍ପ ପ୍ରତିଷ୍ଠା ପାଇଁ ସହଯୋଗ ଲୋଡ଼ିଲେ
ବିଶ୍ବସ୍ତରୀୟ ଆଇଟି ପ୍ରଶିକ୍ଷଣ ପ୍ରତିଷ୍ଠାନ ବିଚାରାଧୀନ
ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ଯେ, ଆସନ୍ତା ୫ ବର୍ଷ ମଧ୍ୟରେ ଓଡ଼ିଶାରେ ଆହୁରି ଅନେକ ନୂଆ ରେଳ ପ୍ରକଳ୍ପ ହାତକୁ ନିଆଯିବ। ୨୦୧୪ରୁ ୨୦୨୪ ମଧ୍ୟରେ ଓଡ଼ିଶାରେ ୧୮୨୭ କିଲୋମିଟର ରେଳ ଲାଇନ୍ ନିର୍ମାଣ ହୋଇଛି, ଯାହାକି ଶ୍ରୀଲଙ୍କାର ରେଳ ନେଟୱାର୍କଠାରୁ ଅଧିକ। ଏହି ଅବଧି ମଧ୍ୟରେ ୪୨୭ଟି ରେଳ ଅଣ୍ଡର୍ବ୍ରିଜ୍ ନିର୍ମାଣ ହୋଇଛି। ଓଡ଼ିଶାରେ ୬ଟି ବନ୍ଦେ ଭାରତ ଟ୍ରେନ୍ ଚାଲୁଥିବା ବେଳେ ଅମୃତ ଷ୍ଟେସନ୍ ଯୋଜନାରେ ୫୯ଟି ଷ୍ଟେସନର ଉନ୍ନତୀକରଣ କରାଯିବ। ଓଡ଼ିଶାକୁ ଏକ ମେଗା ଆଇଟି ହବ୍ରେ ପରିଣତ କରିବା ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି। ଆଇଟି ଷ୍ଟାର୍ଟଅପ୍ର ବିକାଶ ପାଇଁ ୪ଟି ବୈଷୟିକ ଅନୁଷ୍ଠାନ ଯଥା ଆଇଆଇଟି ଭୁବନେଶ୍ବର, ଏନ୍ଆଇଟି ରାଉରକେଲା, ଆଇଆଇଆଇଟି ଭୁବନେଶ୍ବର, ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ବ୍ରହ୍ମପୁରରେ ‘ଚିପ୍ ଟୁ ଷ୍ଟାର୍ଟଅପ୍’ କାର୍ଯ୍ୟକ୍ରମ କରାଯାଉଥିବା ସେ କହିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡ଼ିଶାରେ ଆଇଟି ଶିଳ୍ପର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ସହଯୋଗ କାମନା କରିଥିଲେ। ଓଡ଼ିଶାରେ ଯେପରି ଅଧିକରୁ ଅଧିକ ଆଇଟି କମ୍ପାନି ପୁଞ୍ଜି ବିନିଯୋଗ କରିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କ ସହଯୋଗ କାମନା କରିଥିଲେ। ଏଥିସହ ଓଡ଼ିଶାରୁ କିପରି ଅଧିକ ଲୋକ ମହାକୁମ୍ଭ ମେଳା-୨୦୨୫ ଦେଖିବାକୁ ଯାଇପାରିବେ, ତାହା ସୁନିଶ୍ଚିତ କରିବା ସମ୍ପର୍କରେ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ଓଡ଼ିଶାରେ ଏକ ବିଶ୍ୱସ୍ତରୀୟ ଆଇଟି ପ୍ରଶିକ୍ଷଣ ପ୍ରତିଷ୍ଠାନ ସ୍ଥାପନ ପ୍ରସ୍ତାବ ବିଚାରାଧିନ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ମତପ୍ରକାଶ କରିଛନ୍ତି। ଏଥିପାଇଁ ଜମି ସହିତ ଅନ୍ୟାନ୍ୟ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ଓଡ଼ିଶାରେ ସେମିକଣ୍ଡକ୍ଟର ଶିଳ୍ପ ପ୍ରତିଷ୍ଠା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଥିଲେ। ଏଥିପାଇଁ ସମସ୍ତ ପ୍ରକାର ସହଯୋଗ ଓ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।