ବଜେଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ମିଶ୍ରିତ ପ୍ରତିକ୍ରିୟା: କୃଷି ଉପରେ ଗୁରୁତ୍ୱକୁ ସ୍ୱାଗତ, ଓଡ଼ିଶାର ଟିକସ ଭାଗ ହ୍ରାସ ନେଇ ଉଦବେଗ
ଭୁବନେଶ୍ୱର : ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଗତ ସାଧାରଣ ବଜେଟ ଉପରେ ମିଶ୍ରିତ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୦-୨୧ ଆର୍ଥିକ ବର୍ଷର ସାଧାରଣ ବଜେଟର କେତେକ ବ୍ୟବସ୍ଥାକୁ ସେ ସ୍ବାଗତ କରିଥିବା ବେଳେ ଆଉ କେତେକକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବଜେଟରେ କୃଷି ଉପରେ ଗୁରୁତ୍ୱ ଦିଆଯାଇଥିବାରୁ ତାହାକୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଛନ୍ତି । କୃଷି ରେଲ୍ ଓ କୃଷି ଉଡାଣ ଭଳି ବ୍ୟବସ୍ଥା ଦ୍ୱାରା କୃଷିଜାତ ସାମଗ୍ରୀର ଶୀତଳ ଭଣ୍ଡାର ସୁବିଧା ସହ ପରିବହନକୁ ସେ ସ୍ବାଗତ କରିବା ସହ ପିଏମ-କୁସୁମ ଯୋଜନାରେ ୨୦ ଲକ୍ଷ ଚାଷୀଙ୍କୁ ସୋଲାର ପମ୍ପ ଯୋଗାଣ ଏକ ଭଲ ପଦକ୍ଷେପ ବୋଲି କହିଛନ୍ତି । ଅନ୍ୟପକ୍ଷରେ କର୍ପୋରେଟ ଜଗତ ପାଇଁ ଟିକସ ରିହାତି ଦେବାକୁ ଓଡ଼ିଶା ଦାବି କରିଥିଲା, ଏହାକୁ ଗ୍ରହଣ କରାଯାଇଛି । କମ୍ପାନିମାନଙ୍କ ପାଇଁ ବଜେଟରେ ଟିକସ ରିହାତି ଘୋଷଣା କରାଯାଇଥିବାରୁ ତାହା ସ୍ୱାଗତଯୋଗ୍ୟ ବୋଲି ସେ କହିଛନ୍ତି । ସେହିପରି ବ୍ୟାଙ୍କ ଜମା ବୀମା ପରିମାଣ ୧ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରାଯିବା ଓ ନୂଆ ଶିକ୍ଷାନୀତି ପ୍ରଣୟନ ଏକ ସକାରାତ୍ମକ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ କେତେକ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି । ସବୁ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାରେ ବ୍ୟୟବରାଦ ପରିମାଣ ହ୍ରାସ ପାଇଛି । ସରକାରଙ୍କ କେନ୍ଦ୍ରୀୟ ଟିକସ ସଂଗ୍ରହ ୫୯ ହଜାର କୋଟି ହ୍ରାସ ପାଇଛି । ଏହା ଦ୍ୱାରା ଓଡ଼ିଶାର ଭାଗ ପ୍ରାୟ ୩ ହଜାର କୋଟି କମିବ । ପ୍ରାଚୀନ ଐତିହ୍ୟର ବିକାଶ କରି ତାହାକୁ ପ୍ରତିଷ୍ଠିତ ସ୍ଥଳୀରେ ପରିଣତ କରିବା କ୍ଷେତ୍ରରେ ଓଡ଼ିଶାର କୌଣସି ପର୍ଯ୍ୟଟନସ୍ଥଳୀ ସ୍ଥାନ ପାଇ ନଥିବାରୁ ସେ ନିରାଶା ପ୍ରକଟ କରିଛନ୍ତି । ପାନୀୟ ଜଳ ଏକ ଜାତୀୟ ଅଗ୍ରାଧିକାର କ୍ଷେତ୍ର ହୋଇଥିବାରୁ ସେଥିପାଇଁ ବ୍ୟୟବରାଦ ହ୍ରାସ ଚିନ୍ତାର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି।