ସମୃଦ୍ଧ, ସଶକ୍ତ ଓ ସ୍ବଭିମାନୀ ଓଡ଼ିଶା ନିର୍ମାଣ ପାଇଁ ଆମେ ଦୃଢ ପ୍ରତିବଦ୍ଧତାର ସହ ଆଗକୁ ବଢୁଛୁ: ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ବର: ଆଜି ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସ୍ୱାଧୀନତା ସଂଗ୍ରାମୀ ବୀର ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି କି ଓଡ଼ିଶା ଆଜି ଦେଶର ବିକାଶ ମାନଚିତ୍ରରେ ନିଜର ସ୍ଥିତି ମଜବୁତ କରିପାରିଛି । କୃଷି, ଶିଳ୍ପ ଓ ଭିତ୍ତିଭୂମି ପରି ଅର୍ଥନୀତିର ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଓଡ଼ିଶା ଆଜି ଉନ୍ନତି କରିପାରିଛି । ରାଜ୍ୟରେ ଜଳସେଚନ କ୍ଷମତା ବଢିଛି । କୃଷି ଉତ୍ପାଦନ ବଢିଛି। ଚାଷୀର ରୋଜଗାର ବଢିଛି । ରାଜ୍ୟକୁ ନୂଆ ନୂଆ ପୁଞ୍ଜି ଆସିଛି । ଭିତ୍ତିଭୂମିର ବିକାଶ ଅର୍ଥନୀତିକୁ ଚଳଚଞ୍ଚଳ କରିବାକୁ ସୁଯୋଗ ସୃଷ୍ଟି କରିଛି ।
ବିଭିନ୍ନ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିବାରେ ଓଡ଼ିଶାର ସ୍ଥାନ ସାରା ଦେଶରେ ସ୍ବତନ୍ତ୍ର । ଖାଦ୍ୟ ସୁରକ୍ଷାଠାରୁ ଆରମ୍ଭ କରି ସାମାଜିକ ସୁରକ୍ଷା ପର୍ଯ୍ୟନ୍ତ ଆମର ସବୁ କଲ୍ୟାଣ କାର୍ଯ୍ୟକ୍ରମ ଲୋକଙ୍କ ମୁହଁରେ ହସ ଆଣିଛି । ଜନଜାତି ବର୍ଗର ବିକାଶ ଓ କଲ୍ୟାଣ ପାଇଁ ଆମର କାର୍ଯ୍ୟକ୍ରମ ସେମାନଙ୍କୁ ସଫଳ ଭାବରେ ବିକାଶର ମୁଖ୍ୟଧାରାରେ ଯୋଡ଼ି ପାରିଛି । ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ ବିକାଶର ସୂର୍ଯ୍ୟ ଲୋକଙ୍କ ମନରେ ନୂଆ ଆଶା ସଂଚାର କରିଛି । ଆପଣ ଜାଣନ୍ତି, ଗତ ୧୦ ମାସ ହେଲା ସାରା ବିଶ୍ବ କରୋନା ସହ ଲଢୁଛି । ଓଡ଼ିଶା କରୋନା ମହାମାରୀକୁ ସଫଳତାର ସହ ନିୟନ୍ତ୍ରଣ କରିପାରିଛି। ଏହି ଅବସରରେ ଆମର କୋଭିଡ ଯୋଦ୍ଧାମାନଙ୍କର ତ୍ୟାଗ ଓ ସେବାକୁ ମୁଁ ଶ୍ରଦ୍ଧାର ସହ ସ୍ମରଣ କରୁଛି । ଟିକା ଆସିଥିଲେ ମଧ୍ୟ କୋଭିଡ ଗାଇଡଲାଇନ୍‌କୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ।
ଏକ ସମୃଦ୍ଧ, ସଶକ୍ତ ଓ ସ୍ବଭିମାନୀ ଓଡ଼ିଶା ନିର୍ମାଣ ପାଇଁ ଆମେ ଦୃଢ ପ୍ରତିବଦ୍ଧତାର ସହ ଆଗକୁ ବଢୁଛୁ । କଠିନ ପରିଶ୍ରମ, ଗଭୀର ନିଷ୍ଠା ଓ ସମସ୍ତଙ୍କ ସହଯୋଗ ହିଁ ଆମକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇ ପାରିବ । ଏକ ନୂଆ ଓଡ଼ିଶା ଗଠନ ଦିଗରେ ଆମର ଉଦ୍ୟମରେ ମୁଁ ସମସ୍ତଙ୍କର ଆଶୀର୍ବାଦ କାମନା କରୁଛି । ସେପଟେ, ଦେଶର ଏକତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମର ସହିଦ୍‌ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ସମ୍ବନ୍ଧିତ ଖବର