ରାଜ୍ୟର ଦାବି ନେଇ ଉତ୍ତର ରଖିଲା କେନ୍ଦ୍ର : ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ ସିଏସ୍‌ଆର୍‌ କାର୍ଯ୍ୟ ହୋଇପାରିବନି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନକୁ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାର ସିଏସ୍‌ଆର୍‌ କାର୍ଯ୍ୟ ଭାବେ ବିବେଚନା କରିବାକୁ ଓଡ଼ିଶା ପକ୍ଷରୁ ବିଭିନ୍ନ ସମୟରେ ଦାବି କରାଯାଉଛି। ଗତ ଜୁନ୍‌ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ। ସଂସଦର ମୌସୁମୀ ଅଧିବେଶନରେ ରାଜ୍ୟସଭାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ। କେନ୍ଦ୍ର କର୍ପୋରେଟ୍‌ ବ୍ୟାପାର ମନ୍ତ୍ରୀ ପୀୟୁଷ ଗୋଏଲ୍‌ ଏ ନେଇ ସାଂସଦ ଶ୍ରୀ ଆଚାର୍ଯ୍ୟଙ୍କୁ ଚିଠି ଲେଖି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ଶ୍ରୀ ଗୋଏଲ୍‌ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍‌ ପାଣ୍ଠି, ସ୍ୱଚ୍ଛ ଭାରତ ପାଣ୍ଠି, ସ୍ୱଚ୍ଛ ଗଙ୍ଗା ପାଣ୍ଠି ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ସାମାଜିକ-ଅର୍ଥନୈତିକ ବିକାଶ, ରିଲିଫ୍‌ କାର୍ଯ୍ୟ ଓ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟ ପାଇଁ କରାଯାଇଥିବା ଅନ୍ୟ ପାଣ୍ଠି ସିଏସ୍‌ଆର୍‌ ଦାନ ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛନ୍ତି। ସର୍ବଭାରତୀୟ ସ୍ତରରେ କାର୍ଯ୍ୟ ପାଇଁ ଏପରି ବ୍ୟବସ୍ଥା କରାଯାଇଛି। କମ୍ପାନି ଆକ୍ଟ, ୨୦୧୩ରେ କମ୍ପାନିଗୁଡ଼ିକୁ ସ୍ଥାନୀୟ ଅଞ୍ଚଳରେ ସିଏସ୍‌ଆର୍‌ ପାଣ୍ଠି ଖର୍ଚ୍ଚ କରିବା ପାଇଁ କ୍ଷମତା ଦିଆଯାଇଛି। ଏତିକି ଆଇନଗତ ବ୍ୟବସ୍ଥା ଯଥେଷ୍ଟ। ତେଣୁ ‘ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ’କୁ ସିଏସ୍‌ଆର୍‌ ଅଧୀନକୁ ଆଣିବାରେ କୌଣସି ଯଥାର୍ଥତା ନାହିଁ। ଏପରି କରାଗଲେ ସଂପୃକ୍ତ ରାଜ୍ୟରେ ସିଏସ୍‌ଆର୍‌ ପାଣ୍ଠି ଖର୍ଚ୍ଚ କରିବା ଉପରେ ସମସ୍ତେ ଅତ୍ୟଧିକ ଧ୍ୟାନ ଦେବେ। ଫଳରେ ସର୍ବଭାରତୀୟ ସ୍ତରରେ ଏହି ପାଣ୍ଠି ଖର୍ଚ୍ଚ ହେବାରେ ସମସ୍ୟା ଦେଖାଦେବ ବୋଲି କେନ୍ଦ୍ର ମନ୍ତ୍ରୀ ଆଶଙ୍କା ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର