ନିଜାମୁଦ୍ଦିନ ଫେରନ୍ତା ଓଡ଼ିଶାବାସୀ ୧୦୪କୁ ଫୋନ୍ କରି ୨୪ ଘଣ୍ଟା ମଧ୍ୟରେ ସ୍ୱାସ୍ଥ୍ୟ ପରୀକ୍ଷା କରାନ୍ତୁ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସମାବେଶରେ ଯୋଗଦେଇ ଫେରିଥିବା ଓଡ଼ିଶାବାସୀ ଟୋଲ୍ ଫ୍ରି’ ନମ୍ବର ୧୦୪କୁ ଫୋନ୍ କରି ୨୪ ଘଣ୍ଟା ମଧ୍ୟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନିଅନ୍ତୁ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଜାରି ହୋଇଥିବା ଏକ ପତ୍ରରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ କେବଳ ସଚେତନା ଦ୍ୱାରା ହିଁ, ଆମେ କରୋନା ସଂକ୍ରମଣକୁ ରୋକି ପାରିବା । କରୋନାକୁ ଡରିବାର କିଛି ନାହିଁ, କିନ୍ତୁ ଆମକୁ ସାବଧାନ ରହିବାକୁ ହେବ ।

ନିଜାମୁଦ୍ଦିନ ଫେରନ୍ତାଙ୍କୁ ସେ ବିଶେଷ ଭାବେ ଅନୁରୋଧ କରି କହିଛନ୍ତି, ଦିଲ୍ଲୀ ନିଜାମୁଦ୍ଦିନ ସଭାରେ ଓଡ଼ିଶାରୁ ଯୋଗଦେଇଥିବା ସମସ୍ତଙ୍କୁ ମୋର ଅନୁରୋଧ, ଆପଣମାନେ ଟୋଲ୍ ଫ୍ରି’ ନମ୍ବର ୧୦୪ ସହିତ ତୁରନ୍ତ ଯୋଗାଯୋଗ କରନ୍ତୁ । ଡାକ୍ତରଙ୍କ ପରାମର୍ଶ ମାନନ୍ତୁ । ୨୪ ଘଣ୍ଟା ମଧ୍ୟରେ ଟେଷ୍ଟ୍ ପାଇଁ ଆଗେଇ ଆସନ୍ତୁ । ଡରନ୍ତୁ ନାହିଁ । ମୁଁ ଓ ମୋ ସରକାର ଆପଣଙ୍କ ସାଥିରେ ଅଛି । ମା’ମାନଙ୍କୁ ମୋର ଅନୁରୋଧ, ନିଜ ପରିବାର ଓ ନିଜ ପିଲାମାନଙ୍କ ଭଲ ପାଇଁ ଏଥିରେ ସହଯୋଗ କରନ୍ତୁ ।

Image Source: Zee News

କରୋନା, ମାନବଜାତିର ସବୁଠାରୁ ବଡ଼ ଶତ୍ରୁ । ଏହାକୁ ହରାଇବା ପାଇଁ ସମସ୍ତଙ୍କ ସହଯୋଗ ଦରକାର । ମୁଁ ପୁଣି ଥରେ ଦିଲ୍ଲୀ ନିଜାମୁଦ୍ଦିନ ସଭାରେ ଯୋଗଦେଇଥିବା ଓଡ଼ିଶାର ବନ୍ଧୁମାନଙ୍କୁ ଅନୁରୋଧ କରୁଛି ଯେ ଆପଣମାନେ ୨୪ ଘଣ୍ଟା ମଧ୍ୟରେ ଟେଷ୍ଟ୍ ପାଇଁ ଆଗେଇ ଆସନ୍ତୁ । ବିଳମ୍ବ କରନ୍ତୁ ନାହିଁ । ବିଳମ୍ବ କଲେ ଏହା ଆପଣ ଓ ଆପଣଙ୍କ ପରିବାରକୁ ଅସୁବିଧାରେ ପକାଇ ପାରେ ।

ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମଧ୍ୟ ଅନୁରୋଧ କରି କହିଛି ଯେ ନିଜାମୁଦ୍ଦିନ କାର୍ଯ୍ୟକ୍ରମ ସହ ସମ୍ପୃକ୍ତ ବ୍ୟକ୍ତିମାନେ ସ୍ୱେଚ୍ଛାକୃତ ଭାବେ ୧୦୪କୁ ଫୋନ୍ କରି ନିଜ ନିଜର ଠିକଣା ଜଣାନ୍ତୁ । ଭୟଭୀତ ହେବା କିଂବା କଥାକୁ ଗୁପ୍ତ ରଖିବା ଅନାବଶ୍ୟକ । ଏହାଛଡ଼ା ଯଦି ଅନ୍ୟ କେହି ବ୍ୟକ୍ତିଙ୍କ ନିକଟରେ ନିଜାମୁଦ୍ଦିନ ଫେରନ୍ତାମାନଙ୍କ ବିଷୟରେ କୌଣସି ସୂଚନା ଥାଏ ସେମାନେ ମଧ୍ୟ ୧୦୪କୁ ଜଣାଇ ପାରିବେ ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁସାରେ, ରାଜ୍ୟରେ ନିଜାମୁଦ୍ଦିନ କାର୍ଯ୍ୟକ୍ରମ ସହ ସମ୍ପୃ୍କ୍ତ ୨୮ ଜଣ ବ୍ୟକ୍ତିଙ୍କୁ ଏ ପର୍ଯ୍ୟନ୍ତ ଚିହ୍ନଟ କରାଯାଇ ସେମାନଙ୍କ ସ୍ୱାବ୍ ପରୀକ୍ଷା କରାଯାଇଛି । ସେମାନଙ୍କ ମଧ୍ୟରୁ ୨୫ଜଣଙ୍କ ନମୁନା ନେଗେଟିଭ୍ ଆସିଥିବା ବେଳେ ୩ଜଣଙ୍କ ନମୁନା ପଜିଟିଭ୍ ଆସିଛି । ପଜିଟିଭ୍ ଆସିଥିବା ୩ଜଣ ବ୍ୟକ୍ତି ହେଉଛନ୍ତି କଟକ, ପୁରୀ ଓ ଯାଜପୁର ବାସିନ୍ଦା ।

ସମ୍ବନ୍ଧିତ ଖବର