ଭୁବନେଶ୍ବର: ଦୁଇ ଦିନିଆ ଦିଲ୍ଲୀଗସ୍ତରୁ ଫେରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦିନତମାମ ସରକାରୀ କାର୍ଯ୍ୟ କରିଛନ୍ତି। ରବିବାର ସତ୍ତ୍ବେ ଲୋକସେବା ଭବନର ତୃତୀୟ ମହଲାସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଚଳଚଞ୍ଚଳ ଥିଲା। ବିମାନବନ୍ଦରରୁ ପହଞ୍ଚି ସେ ସିଧାସଳଖ ଏମ୍ସ ଯାଇ ବାଲେଶ୍ବର ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ସେଠାରେ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ଅପରାହ୍ଣରେ ଲୋକସେବା ଭବନକୁ ଆସି ମୁଖ୍ୟମନ୍ତ୍ରୀ ସରକାରୀ କାର୍ଯ୍ୟ ବି କରିଥିଲେ। ବିଭିନ୍ନ ବିଭାଗର ସଚିବ ମାନଙ୍କୁ ଡାକି ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ସମୀକ୍ଷା ଓ ଆଲୋଚନା କରିଥିଲେ। ଛୁଟି ଦିନ ହୋଇଥିଲେ ମଧ୍ୟ ଏହା ଥିଲା ମୁଖ୍ୟମନ୍ତ୍ରୀଙ୍କ ନିତିଦିନିଆ କାର୍ଯ୍ୟକ୍ରମର ଏକ ଅଂଶ।
୨୦୨୪ ଜୁନ ୧୨ ରୁ ଆଜି ୨୦୨୫ ଜୁଲାଇ ୧୩` ଏକ ବର୍ଷ ଏକ ମାସ ଧରି ବିନା ଛୁଟିରେ ମୁଖ୍ୟମନ୍ତ୍ରୀ ଲଗାତାର କାମ କରିଚାଲିଛନ୍ତି। ବର୍ଷକ ମଧ୍ୟରେ କାଁ ଭାଁ ଛୁଟି ଦିନକୁ ଛାଡ଼ି ଦେଲେ ପ୍ରାୟ ସମସ୍ତ ଛୁଟି ଦିନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କର୍ମତତ୍ପର ଥାଏ। ବରିଷ୍ଠ ଅଧିକାରୀଙ୍କ ଠାରୁ ଆରମ୍ଭ କରି କର୍ମଚାରୀ ପର୍ଯ୍ୟନ୍ତ ସମସ୍ତେ ଚଳଚଞ୍ଚଳ ଥାଆନ୍ତି। ରାଜ୍ୟର ବିକାଶ ଓ ଓଡ଼ିଶାବାସୀଙ୍କ ସେବା ପାଇଁ ଶ୍ରୀ ମାଝୀ ତାଙ୍କର ପ୍ରତିବଦ୍ଧତାକୁ ପ୍ରମାଣିତ କରିଛନ୍ତି। ସରକାର ହେଉଛନ୍ତି ଲୋକଙ୍କ ସରକାର। ମୁଖ୍ୟମନ୍ତ୍ରୀ ହେଉଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ, ସେଥିପାଇଁ ରାଜ୍ୟ ତଥା ରାଜ୍ୟବାସୀଙ୍କ ବିକାଶକୁ ମୁଖ୍ୟମନ୍ତ୍ରୀ ସର୍ବାଧିକ ପ୍ରାଧାନ୍ୟ ଦେଉଛନ୍ତି। ଲୋକଙ୍କ ସେବା ହେଉଛି ଜଣେ ଜନପ୍ରତିନିଧିର ପ୍ରଥମ କର୍ତ୍ତବ୍ୟ, ତାହା ଶ୍ରୀ ମାଝୀ ପ୍ରମାଣିତ କରିଛନ୍ତି।
‘ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ଫଳପ୍ରଦ’
ଭୁବନେଶ୍ବର: ତିନିଦିନିଆ ନୂଆଦିଲ୍ଲୀ ଗସ୍ତ ଶେଷ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଓଡ଼ିଶା ଫେରିଛନ୍ତି। ଆଜି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗଣମାଧ୍ୟମକୁ କହିଛନ୍ତି ଯେ ଏହି ଗସ୍ତ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଉଦ୍ଦିଷ୍ଟ ଥିଲା। ଏହାପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ଓଡ଼ିଶାର ବିକାଶ ନେଇ ୩୫ ମିନିଟ୍ ଧରି ବିସ୍ତୃତ ଆଲୋଚନା କରିଥିଲେ। ଏହି ଆଲୋଚନା ଫଳପ୍ରଦ ହୋଇଛି। ଏହାସହ ଆଗାମୀ ଦିନରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାର ବିକାଶ କିପରି ତ୍ୱରାନ୍ୱିତ ହେବ ସେନେଇ ଆଲୋଚନା ହୋଇଥିଲା। ସମୃଦ୍ଧ ଓଡ଼ିଶା ୨୦୩୬ ଓ ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବା ସହ ତାଙ୍କୁ ଭିଜନ୍ ଡକୁମେଣ୍ଟ ପୁସ୍ତକ ପ୍ରଦାନ କରିଥିଲେ। ଏହାସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଦଳର ସଙ୍ଗଠନ ମନ୍ତ୍ରୀ ବିଏଲ୍ ସନ୍ତୋଷଙ୍କୁ ଭେଟିଥିଲେ।