ତଳିଆ ଅଞ୍ଚଳରେ ଥିବା ଲୋକମାନଙ୍କୁ ତୁରନ୍ତ ସ୍ଥାନାନ୍ତରିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ସାମୁଦ୍ରିକ ବାତ୍ୟା ଫନି ନେଇ ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ପରିବର୍ତ୍ତୀ ସ୍ଥିତିର ମୁକାବିଲା ନେଇ ସଚିବାଳୟରେ ବୈଠକ ଚାଲିଛି । ଏହି ବୈଠକରେ ନଗର ଉନ୍ନୟନ ସଚିବ, ଶକ୍ତି ସଚିବ, ପଂଚାୟତିରାଜ ସଚିବ ଓ ଗ୍ରାମୀଣ ବିକାଶ ସଚିବ ଯୋଗ ଦେଇଛନ୍ତି । ତେବେ ବାତ୍ୟା ‘ଫନି’ ନେଇ ଟେଲିଫୋନ୍ ଅପରେଟରଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଫୋନ ସେବା ଯେପରି ବ୍ୟାଘାତ ନହେବ ସେଥିପ୍ରତି ବିଶେଷ ଦୃଷ୍ଟି ଦେବା ପ୍ରସଙ୍ଗରେ ଆଲୋଚନା କରାଯାଇଛି ।ତଳିଆ ଅଞ୍ଚଳରେ ଥିବା ଲୋକମାନଙ୍କୁ ତୁରନ୍ତ ସ୍ଥାନାନ୍ତରିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ଫୋନି ପାଇଁ ଆତଙ୍କିତ ନ ହେବାକୁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ  ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ‘  ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ,ଆତଙ୍କିତ ହୁଅନ୍ତୁନି, ଶାନ୍ତ ରୁହନ୍ତୁ; ସରକାରଙ୍କୁ ସହଯୋଗ କରନ୍ତୁ।’

ଅନ୍ୟପଟେ ଲୋକମାନଙ୍କୁ ସୁରକ୍ଷିତ ଆଶ୍ରୟ ସ୍ଥଳକୁ ନେବା ପାଇଁ ସମସ୍ତ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର । ବିଶେଷକରି ମହିଳା, ଗର୍ଭବତୀ ମହିଳା, ଶିଶୁ, ବୟସ୍କ ବ୍ୟକ୍ତି ଓ ଦିବ୍ୟାଙ୍ଗଙ୍କ ସ୍ଥାନାନ୍ତର କରିବା ଉପରେ ଗରୁତ୍ୱ ଦିଆଯାଉଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଆଜି ସନ୍ଧ୍ୟା ସୁଦ୍ଧା ପ୍ରଭାବିତ ହେବାକୁ ଥିବା ଅଂଚଳର ସମସ୍ତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ।

ସମ୍ବନ୍ଧିତ ଖବର