ରାଉରକେଲା: ସ୍ମାର୍ଟ ସିଟି ରାଉରକେଲାରେ ଆଜି ବିପିୟୁଟି ପରିସରରେ ଦେଶର ସର୍ବବୃହତ୍ ଅତ୍ୟାଧୁନିକ ହକି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି, ରାଉରକେଲାକୁ କହିଲେ ଆଶାର ସହର, ସୁନ୍ଦରଗଡ଼ର ବିକାଶରେ ରାଉରକେଲାର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ସୁନ୍ଦରଗଡ଼ ହେଉଛି ହକିର ଏନ୍ତୁଡ଼ିଶାଳ, ଏଠିକାର ଖେଳାଳି ଦେଶ ପାଇଁ ସୁନାମ ଆଣିଛନ୍ତି। ସୁନ୍ଦରଗଡ଼ର ମାଟି ଓ ପାଣିରେ ହକି ରହିଛି। ରାଉରକେଲାରେ ହେବାକୁ ଥିବା ହକି ଷ୍ଟାଡିୟମକୁ ସହିଦ ବିରସା ମୁଣ୍ଡା ହକି ଷ୍ଟାଡିୟମରେ ନାମିତ କରାଯିବ ବୋଲି ସେ ଘୋଷଣା କରିଛନ୍ତି।

Advertisment

ରାଉରକେଲା ସହିତ ବିଜୁବାବୁଙ୍କର ସଂପର୍କ ବିଷୟ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଉରକେଲାର ଷ୍ଟିଲ ପ୍ଲାଣ୍ଟ ଠାରୁ ଆରମ୍ଭ କରି ଏନଆଇଟି ପର୍ଯ୍ୟନ୍ତ ସବୁଥିରେ ବିଜୁବାବୁଙ୍କ ସ୍ମୃତି ଭରି ରହିଛି। ରାଉରକେଲାକୁ ଆଶାର ସହର  ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେବଳ ଓଡ଼ିଶା ନୁହେଁ, ଆଖପାଖ ରାଜ୍ୟର ଲୋକମାନେ ମଧ୍ୟ ଜୀବିକା ପାଇଁ ରାଉରକେଲାକୁ ଆସିଥାନ୍ତି ।

ସୁନ୍ଦରଗଡ ଜିଲ୍ଲାର ମିଶନ ଶକ୍ତିର ମା ମାନଙ୍କୁ ସେମାନଙ୍କର ବିକାଶ କାମରେ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ବାଲିଶଂକରାର ଜୟନ୍ତୀ ଏକ୍କା କିପରେ ଭୁବନେଶ୍ବରର ମେକ୍‌-ଇନ୍‌-ଓଡିଶା କନ୍‌କ୍ଲେଭରେ ତାଙ୍କର ଉଦ୍‌ଯୋଗ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ସେ ବିଷୟ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ, ଜୟନ୍ତୀଙ୍କ ନେତୃତ୍ବର ଉଚ୍ଚପ୍ରଶଂସା କରିଥିଲେ ।

ଜନଜାତିର ପିଲାମାନଙ୍କ ଶିକ୍ଷା ସୁବିଧା ସହିତ ଜନଜାତି ସଂସ୍କୃତିର ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ସହ ମୁଣ୍ଡାରି ଓ ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ପୁଣି ଥରେ ଦାବି ଜଣାଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୦୦ ମସିହାରେ ରାଜ୍ୟର ଯୋଜନା ବଜେଟ ମାତ୍ର ୨୮୦୦ କୋଟି ଥିବା ବେଳେ, ଆଜି କେବଳ ସୁନ୍ଦରଗଡ଼ ଜିଲ୍ଲା ପାଇଁ ପାଞ୍ଚ ହଜାର କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରାଯାଇଛି। ଏହାକୁ ମୁଖ୍ୟମନ୍ତ୍ରୀ ରୂପାନ୍ତରର ନମୂନା ତଥା ବିକାଶର ନମୂନା ଭାବରେ ବର୍ଣ୍ଣନା କରିବା ସହିତ ବିକାଶର ଏହି ଧାରାକୁ ଜାରି ରଖିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ସୂଚନାଯୋଗ୍ୟ, ନିର୍ମାଣ ହେବାକୁ ଯାଉଥିବା  ଅତ୍ୟାଧୁନିକ ଷ୍ଟାଡିୟମରେ ଏକକାଳୀନ ୨୦ ହଜାର ଦର୍ଶକ ବସି ଖେଳ ଉପଭୋଗ କରିପାରିବେ। ଏଥିସହ ମୁଖ୍ୟମନ୍ତ୍ରୀ ଜିଲ୍ଲାର ମୋଟ ୪୯୧୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ଓ ଲୋକାର୍ପଣ କରିଛନ୍ତି l ଏଥିମଧ୍ୟରେ ରହିଛି ୧୬୨୨କୋଟିର ପାନୀୟ ଜଳ ପ୍ରକଳ୍ପ, ୩୨୦ କୋଟିର ଜଳସେଚନ, ୧୧୧କୋଟି ର ସ୍ୱାସ୍ଥ୍ୟସେବା, ୧୦୬୦ କୋଟିର ରାସ୍ତାଘାଟର ବିକାଶ, ୩୬୬କୋଟିର ଶିକ୍ଷା ପ୍ରକଳ୍ପ l ଅନୁରୂପ ଭାବେ ୨୫୦ କୋଟିର ପରିମଳ,୨୧୬ କୋଟିର ଜୀବିକା ବିକାଶ, ୪୭୧ କୋଟିର ସ୍ମାର୍ଟ ସିଟି ପ୍ରକଳ୍ପ , ୩୮ କୋଟିର ବିଦ୍ୟୁତଶକ୍ତି ଯୋଗାଣ, ୬୭ କୋଟି ଭିତ୍ତିଭୂମି ଉନ୍ନୟନ, ୧୩୫ କୋଟିର ମହିଳା ଓ ଶିଶୁ ବିକାଶ, ୧୨ କୋଟିର ପରିବେଶ ସୁରକ୍ଷା, ୧୫ କୋଟିର ଦକ୍ଷତା ବିକାଶ ଓ ୧୨୦ କୋଟିର କ୍ରୀଡ଼ା ପ୍ରକଳ୍ପ ରହିଛି l

ଏହି ଉତ୍ସବରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ, ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ୫ ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ, ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ, ପୂର୍ଵତନ ସାଂସଦ ତଥା ଅନ୍ତର୍ଜାତୀୟ ହକି ଖେଳାଳି ଦିଲୀପ ତିର୍କୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ମଞ୍ଚରେ ଉପସ୍ଥିତ ଥିଲେl ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଓ ରାଉରକେଲା ସହରରେ ୧୨୦ ଟି ସ୍ଥାନରେ ଏଲଇଡି ୱାଲର ବ୍ୟବସ୍ଥା କରାଯାଇଥିଲା l ଜିଲ୍ଲାର ୧୭ ବ୍ଲକ ସମେତ ପ୍ରମୁଖ ପଞ୍ଚାୟତରେ ୧୭ ମନ୍ତ୍ରୀ ଓ ୮୦ରୁ ଅଧିକ ବିଧାୟକ ଉପସ୍ଥିତ ଥିଲେ l ଏଥିରେ ଦିଲୀପ ତିର୍କୀ ଧନ୍ୟବାଦ ଦେଇଥିଲେ।