ଭୁବନେଶ୍ୱର: ଶିଶୁ ବାଟିକା ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଯାଦୁପେଡ଼ିକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଦେଖିଛନ୍ତି। ପିଲାଙ୍କ ପାଇଁ ଯାଦୁପେଡ଼ିର ଉପଯୋଗିତା ବିଷୟରେ ବୁଝିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଶାଳିନୀ ପଣ୍ଡିତ ଯାଦୁପେଡ଼ି ଭିତରେ ଥିବା ବିଭିନ୍ନ ସାମଗ୍ରୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହି ପେଡ଼ି ଭିତରେ ଥିବା ସାମଗ୍ରୀ ଦେଖି ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରି କହିଲେ, ଛୋଟ ଛୋଟ ପିଲାମାନେ ନିଜ ପାରିପାର୍ଶ୍ୱିକ ଅଞ୍ଚଳରେ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଏହାର ଉପଯୋଗିତା ବିଷୟରେ ଯାଦୁପେଡ଼ିରେ ଥିବା ଖେଳନାରୁ ଶିଖିପାରିବେ। 

Advertisment

ଶିଶୁବାଟିକା, ପ୍ରଥମ ଓ ଦ୍ୱିତୀୟ ପିଲାଙ୍କୁ ଦିଆଯିବ
୪୫ ହଜାର ସ୍କୁଲ ପାଇଁ ଖର୍ଚ୍ଚ ହେବ ୯୦ କୋଟି

ଶିଶୁମାନଙ୍କୁ ଏହି ଯାଦୁପେଡ଼ିର ଖେଳନାଗୁଡ଼ିକ ଶିଖିବା ସହ ପାଠ ପ୍ରତି ମଧ୍ୟ ଆକର୍ଷିତ କରିବ। ସୂଚନାଯୋଗ୍ୟ ଯେ, ନୂତନ ଜାତୀୟ ଶିକ୍ଷା ନୀତି-୨୦୨୦  ଅନୁଯାୟୀ ଛୋଟ ଛୋଟ ପିଲାଙ୍କ ପାଇଁ ଏହି ଯାଦୁପେଡ଼ିର ପରିକଳ୍ପନା କରାଯାଇଛି। ଯାହାକୁ ଏନ୍‌ସିଇଆରଟି ପ୍ରସ୍ତୁତ କରିଛି। ଶିଶୁ ବାଟିକା, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କୁ ଏହି କିଟ୍‌ ପ୍ରଦାନ କରାଯିବ। ପ୍ରତି କିଟ୍‌ ପିଛା ପ୍ରାୟ ୨୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ରାଜ୍ୟର ୪୫ହଜାର ସ୍କୁଲରେ ଏହାକୁ ବଣ୍ଟନ କରାଯିବ ଏବଂ ସମୁଦାୟ ୯୦ କୋଟି ଟଙ୍କା ଖର୍ଚ୍ଚ ହେବ।