ଭୁବନେଶ୍ବର: ବିଡିଓମାନେ ବିଧାୟକଙ୍କୁ ସମ୍ମାନ ଦେଉନାହାନ୍ତି କି ବସିବାକୁ ଚେୟାର ଦେଉନାହାନ୍ତି। ଅନେକ ଅଫିସର ବିଧାୟକଙ୍କ ସହ ଭଲ ସମ୍ପର୍କ ରଖୁନାହାନ୍ତି। ଏମିତିକି ମୋ ସହ ବି ଭଲ ସମ୍ପର୍କ ରଖିନାହାନ୍ତି। ଭିଡିଓ କନ୍‌ଫରେନ୍ସିଂରେ ମୋର ଭାଷଣ ଆସିଲେ ଟିଭି ବନ୍ଦ କରିଦେଉଛନ୍ତି। ଲୋକଙ୍କୁ ପଳାଇଯିବାକୁ କହୁଛନ୍ତି। ଆଜି ଦୁଇଦିନିଆ ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ) ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ସମ୍ମିଳନୀରେ ଏମିତି ଭୀଷଣ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏସବୁକୁ ବରଦାସ୍ତ କରାଯିବ ନାହିଁ ବୋଲି ଚେତାଇ ଦେଇ କହିଛନ୍ତି, ମୁଁ ଆଦିବାସୀ, ତଳୁ ଆସିଛି। 

Advertisment

ସରପଞ୍ଚରୁ ମୁଖ୍ୟମନ୍ତ୍ରୀ ହୋଇଛି। ମୋର ସରଳତାକୁ ଦୁର୍ବଳତା ଭାବନ୍ତୁ ନାହିଁ। ମୁଁ କଠୋର ନିଷ୍ପତ୍ତି ନେବାରେ ସକ୍ଷମ। ତେଣୁ ନିଜକୁ ତୁରନ୍ତ ସଜାଡ଼ନ୍ତୁ। ଲୋକସେବା ଭବନରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ସେକାଳ ପଖାଳ ଆଉ ନାହିଁ। ଆମ ଲାଇନ୍‌ରେ ଆପଣମାନଙ୍କୁ ସେଟ୍‌ଅପ୍‌ ହେବାକୁ ପଡ଼ିବ। ବାହାନା ଦେଖାଇଲେ ଚଳିବ ନାହିଁ। ମୋ ପାଖରେ ସମସ୍ତଙ୍କ ରିପୋର୍ଟ ଅଛି। ପୂର୍ବ ସରକାର ତୁଳନାରେ ଆପଣମାନଙ୍କୁ ଅଧିକ ସ୍ବାଧୀନତା ଓ କ୍ଷମତା ଦିଆଯାଇଛି। କୌଣସି ଚାପର ବଶବର୍ତ୍ତୀ ନହୋଇ ଲୋକଙ୍କ କାମ କରିବାକୁ ପଡ଼ିବ। ଅଭିଯୋଗ ନେଇ ଆସୁଥିବା ଲୋକଙ୍କୁ ଦୟାର ପାତ୍ର ନ ଭାବି ନିଜକୁ ଲୋକଙ୍କ ସେବକ ଭାବି କାର୍ଯ୍ୟ କରନ୍ତୁ। ସମାଜର ଶେଷ ଧାଡ଼ିରେ ଥିବା ଲୋକଟିଏ ଯେପରି ସବୁ ମୌଳିକ ସୁବିଧା ପାଇପାରିବ, ସେହି ଉଦ୍ଦେଶ୍ୟରେ କାମ କରନ୍ତୁ। ସରକାରଙ୍କ ସବୁ ଯୋଜନାକୁ ଲୋକଙ୍କ ପାଖରେ ଠିକ୍‍ ଭାବେ ଅଧିକାରୀମାନେ ପହଞ୍ଚାନ୍ତୁ। ଜିଲ୍ଲାସ୍ତରରେ ସମସ୍ତ ଯୋଜନାର ସଫଳ କାର୍ଯ୍ୟକାରିତା ଉପରେ ସରକାରଙ୍କ ସଫଳତା ନିର୍ଭର କରେ। ମୁଖ୍ୟମନ୍ତ୍ରୀ ଏହା ବି ସତର୍କ କରାଇ ଦେଇଛନ୍ତି, ଦୁର୍ନୀତି କିମ୍ବା ଅବହେଳା କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ। ଜିଲ୍ଲାପାଳଙ୍କ ଜରିଆରେ ବିଡିଓଙ୍କ ରେକର୍ଡ କାର୍ଡ ମଗାଯିବ। ଯେଉଁ ଅଧିକାରୀ ନନ୍‌ପରଫର୍ମର୍‌ ହେବେ, ସେମାନଙ୍କୁ ଗ୍ରହଣ କରାଯିବ ନାହିଁ। ମୁଖ୍ୟମନ୍ତ୍ରୀ ନିଜେ ସେସବୁର ସମୀକ୍ଷା କରିବେ। 

ମୁଖ୍ୟମନ୍ତ୍ରୀଙ୍କ ଭାଷଣ ବେଳେ କିଛି ବିଡିଓ ଟିଭି ବନ୍ଦ କରିଦେଉଛନ୍ତି 
ବିଧାୟକଙ୍କ ସହ ଭଲ ସମ୍ପର୍କ ରଖୁନାହାନ୍ତି 
ଚେତାବନୀ ଦେଲେ, ମୋ ସରଳତାକୁ ଦୁର୍ବଳତା ଭାବ ନାହିଁ 
ଦୁର୍ନୀତି, ଅବହେଳାକୁ ବରଦାସ୍ତ କରାଯିବନି

ମୁଖ୍ୟମନ୍ତ୍ରୀ କହିଥିଲେ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମୁଖ୍ୟତଃ ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ ଯୋଜନାକୁ ତ୍ୱରାନ୍ୱିତ କରି ଗ୍ରାମାଞ୍ଚଳରେ ଗରିବ ଓ ଆର୍ଥିକ ଅନଗ୍ରସର ଲୋକମାନଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଅନ୍ତ୍ୟୋଦୟ ଗୃହ ଯୋଜନା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଗ୍ରାମୀଣ ଜଳଯୋଗାଣ ଓ ପରିମଳ, ବିକଶିତ ଗାଁ ବିକଶିତ ଓଡ଼ିଶା, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା, ସୁଭଦ୍ରା, ଭିଜନ୍‌ ୨୦୩୬ ଓ ୨୦୪୭ ଭଳି ଅନେକ ଯୋଜନା ଜନହିତରେ କାର୍ଯ୍ୟ କରୁଛି। ଏହାର ସଫଳ ରୂପାୟନର ଗୁରୁଦାୟିତ୍ୱ ଆପଣଙ୍କର। ମନରେଗାରେ ଅନ୍ୟୂନ ବର୍ଷକୁ ୧୦୦ ଦିନର କର୍ମ ନିଯୁକ୍ତି ଯୋଗାଇଦେବା ସହ ଏହିସବୁ କାର୍ଯ୍ୟରେ ମେସିନ୍ ବଦଳରେ ମାନବ ଶକ୍ତିର ଅଧିକ ଉପଯୋଗ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଏହା ଦ୍ୱାରା ଗ୍ରାମାଞ୍ଚଳର ଲୋକମାନେ ରୋଜଗାର ପାଇବା ସହିତ ଦାଦନ ସମସ୍ୟା ଦୂରୀଭୁତ ହେବ। ପ୍ରକଳ୍ପଗୁଡିକୁ ପୂର୍ଣ୍ଣାଙ୍ଗ କରିବାକୁ ହେଲେ ବିଭିନ୍ନ ବିଭାଗ ସହିତ ସମନ୍ୱୟ ରଖି କାମ କରିବା ସହ ନିୟମିତ ଭାବରେ କ୍ଷେତ୍ର ପରିଦର୍ଶନ କରି ପ୍ରକଳ୍ପର କାର୍ଯ୍ୟକାରିତା ସମ୍ପର୍କରେ ଅନୁଧ୍ୟାନ କରିବାକୁ ସେ ପରାମର୍ଶ ଦେଇଥିଲେ। 

କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଯୋଗ ଦେଇ ନୂଆ ସରକାରଙ୍କ ଆଭିମୁଖ୍ୟ ଓ ଦାୟିତ୍ୱବୋଧକୁ ପ୍ରାଥମିକତା ଦେବାକୁ ଅଧିକାରୀଙ୍କୁ କହିଥିଲେ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଥିଲେ ଯେ ବିକଶିତ ଓଡ଼ିଶାର ରୋଡ୍‌ମ୍ୟାପ୍‌ରେ ଗାଁର ବିକାଶକୁ ହିଁ ପ୍ରାଥମିକତା ଦିଆଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଶାସନ ସଚିବ ଗିରିଶ ଏସ୍‌ ଏନ୍‌ ସ୍ୱାଗତ ଭାଷଣ ଦେଇଥିଲେ। ପାନୀୟ ଜଳ ଓ ପରିମଳ  ନିର୍ଦ୍ଦେଶକ ବିନୀତ ଭରଦ୍ୱାଜ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଦ୍ବି-ଦିବସୀୟ କର୍ମଶାଳା ତଥା ବୈଠକରେ ୩୦ଟି ଜିଲ୍ଲାର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ୩୧୪ ବ୍ଲକ୍‌ର ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ଯୋଗ ଦେଇଛନ୍ତି।