ଭୁବନେଶ୍ୱର : କରୋନା ଆକ୍ରାନ୍ତ ହୋଇ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ପିପିଲି ବିଧାୟକ ତଥା ବରିଷ୍ଠ ବିଜେଡ଼ି ନେତା ପ୍ରଦୀପ ମହାରଥୀଙ୍କ ସ୍ୱାସ୍ଥ୍ୟାବସ୍ଥା ଆଜି ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଭେଣ୍ଟିଲେଟର ସହାୟତାରେ ରଖାଯାଇଥିବା ସୂଚନା ମିଳିଛି । ଏହି ଖବର ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ମହାରଥୀଙ୍କ ପରିବାର ଲୋକଙ୍କ ସହ ଫୋନରେ କଥା ହେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହା ସହିତ ମହାରଥୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ କଥା ହୋଇ ତାଙ୍କୁ ଯଥାସମ୍ଭବ ସର୍ବୋତ୍ତମ ଚିକିତ୍ସା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ମହାରଥୀ ଗତ ସେପ୍ଟେମ୍ବର ୧୪ ତାରିଖରେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ଏହାପରେ ଭୁବନେଶ୍ୱରର ଖଣ୍ଡଗିରିସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ତାଙ୍କୁ ଭର୍ତ୍ତି କରାଯାଇଥିଲା। ପ୍ରଥମେ ତାଙ୍କୁ ୪୮ ଘଣ୍ଟା ପାଇଁ ପର୍ଯ୍ୟବେକ୍ଷଣରେ ରଖାଯାଇଥିଲା ଓ ପରେ କ୍ରମଶଃ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ଆରମ୍ଭ ହୋଇଥିଲା।