ଉତ୍ସର୍ଗୀକୃତ ଭାବେ ଲୋକଙ୍କ ସେବା କର: ମୁଖ୍ୟମନ୍ତ୍ରୀ

୫୦୦ ସହକାରୀ ଉପବିଭାଗ ଅଧିକାରୀମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ, ୫ ବର୍ଷରେ ୬୫ ହଜାର ଯୁବକ ଯୁବତୀ ନିଯୁକ୍ତି ପାଇଛନ୍ତି, ଆଉ ୫୦ ହଜାର ପଦ ଲାଗି ପ୍ରକ୍ରିୟା ଚାଲିଛି

ଭୁବନେଶ୍ବର : ତୁମମାନଙ୍କ ମଧ୍ୟରେ ଭରି ରହିଥିବା ଦକ୍ଷତାକୁ ପ୍ରାଶାସନିକ କାର୍ଯ୍ୟରେ ବିନିଯୋଗ କର। ପ୍ରଶାସନକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ‘୫ଟି’ (ଦଳଗତ ପରିଚାଳନା, ବୈଷୟିକ ବିଦ୍ୟା, ସ୍ବଚ୍ଛତା, ସମୟସୀମା, ସମୟୋପଯୋଗୀ ପରିବର୍ତନ) ମାଧ୍ୟମରେ ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ଭାବେ ସେବା କର। ଆଜି ରାଜ୍ୟ ସଚିବାଳୟରେ ନବନିଯୁକ୍ତ ସହକାରୀ ଉପବିଭାଗ ଅଧିକାରୀମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଆହ୍ବାନ ଦେଇଛନ୍ତି।

ଗୃହ ବିଭାଗ ପକ୍ଷରୁ ଆଜି ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଅଧିକାରୀମାନଙ୍କ ପ୍ରବେଶ ପ୍ରଶିକ୍ଷଣ ସମାରୋହକୁ ଶ୍ରୀ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ସମାରୋହରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ସରକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଦକ୍ଷତା, ନିଷ୍ଠା, ସାଧୁତା ଓ କର୍ମପ୍ରବଣତା ପ୍ରତିପାଦନ କରିବାକୁ ନବନିଯୁକ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଉନ୍ନୟନ କମିସନର୍‌ ତଥା ଗୃହ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ଅସିତ୍‌ ତ୍ରିପାଠୀ ସ୍ବାଗତ ଭାଷଣ ଦେଇ କହିଲେ, ୨୦୧୫ରେ ସଚିବାଳୟରେ ୮୦୦ ଅଧିକାରୀ ନିଯୁକ୍ତି ପାଇଥିଲେ। ଏବେ ଆଉ ୫୦୦ଜଣଙ୍କୁ ନିଯୁକ୍ତି ମିଳିଛି। ଏହାଦ୍ବାରା ରାଜ୍ୟ ସଚିବାଳୟରେ ଖାଲିଥିବା ପଦଗୁଡ଼ିକ ପୂରଣ ହୋଇଛି। ସରକାରଙ୍କ ପକ୍ଷରୁ ଗତ ୫ ବର୍ଷରେ ବିଭିନ୍ନ କ୍ଷେତ୍ରରେ ୬୫ହଜାର ଯୁବକ/ଯୁବତୀଙ୍କୁ ନିଯୁକ୍ତି ଦିଆଯାଇଛି। ଓଡ଼ିଶା ପବ୍ଲିକ ସର୍ଭିସ୍‌ କମିସନ୍‌, ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିସନ୍‌ ପରି ସ˚ସ୍ଥା ମାଧ୍ୟମରେ ଆଉ ୫୦ ହଜାର ଯୁବକ/ଯୁବତୀଙ୍କୁ ନିଯୁକ୍ତି ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ମେଧାବୀ ପ୍ରାର୍ଥୀଙ୍କୁ ଚୟନ କରାଯାଇ ପ୍ରାଶାସନିକ କାର୍ଯ୍ୟରେ ନିଯୁକ୍ତି ଦିଆଯାଉଛି। ଆଗାମୀ ଦିନରେ ପ୍ରଶାସନକୁ କିଭଳି ବୈଷୟିକ ବିଦ୍ୟା ସହ ଅଧିକ ଯୋଡ଼ା ଯାଇପାରିବ, ସେଥିପ୍ରତି ଗୁରୁତ୍ବ ଦିଆଯାଉଛି ବୋଲି ସେ କହିଥିଲେ।

ଉତ୍ସବ ଅବସରରେ ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ବାରା ଚୟନ ହୋଇଥିବା ୫୦୦ଜଣ ସହକାରୀ ଉପବିଭାଗ ଅଧିକାରୀମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା। ସେମାନଙ୍କ ମଧ୍ୟରେ ୨୬୬ଜଣ ଅଣସ˚ରକ୍ଷିତ ବର୍ଗର ଥିବା ବେଳେ ୮୭ଜଣ ସାମାଜିକ ପଛୁଆ ବର୍ଗ, ୭୫ଜଣ ଅନୁସୂଚିତ ଜାତି, ୭୨ଜଣ ଅନୁସୂଚିତ ଜନଜାତି ପ୍ରାର୍ଥୀ ରହିଛନ୍ତି। ସମସ୍ତ ବର୍ଗର ମୋଟ ୧୬୬ଜଣ ମହିଳା ପ୍ରାର୍ଥୀ ରହିଥିଲେ। ନବନିଯୁକ୍ତ ଅଧିକାରୀମାନଙ୍କ ପାଇଁ ଅନୁଷ୍ଠିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗୃହ ବିଭାଗର ଅତିରିକ୍ତ ଶାସନ ସଚିବ ପାର୍ଥସାରଥୀ ମିଶ୍ର, ଅବସରପ୍ରାପ୍ତ ସ୍ବତନ୍ତ୍ର ଶାସନ ସଚିବ ପ୍ରଭାତ ରଞ୍ଜନ ଗିରି, ସଚିବାଳୟ ପ୍ରଶିକ୍ଷଣ ଅନୁଷ୍ଠାନର ଅଧ୍ୟକ୍ଷ ଦେବୀପ୍ରସାଦ ଷଡ଼ଙ୍ଗୀ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ।

ସମ୍ବନ୍ଧିତ ଖବର