ଓଡ଼ିଶା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଦିବସ ଅବସରରେ ଆଜି ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି | ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି ଯେ,’ଓଡ଼ିଶା ଦିବସ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଏହି ଅବସରରେ ମୋର ସମ୍ମାନ ଜଣାଉଛି। ଆସନ୍ତୁ ଓଡ଼ିଆ ଜାତିର ଅସ୍ମିତା ଓ ସ୍ଵାଭିମାନକୁ ବଜାୟ ରଖି ଏକ ନୂଆ ଓଡ଼ିଶା, ଉଚ୍ଚାକାଂକ୍ଷୀ ଓଡ଼ିଶା ଗଠନ ଦିଗରେ ସଙ୍କଳ୍ପବଦ୍ଧ ହୋଇ ଆଗକୁ ବଢିବା’। ରାଜ୍ୟପାଳ ପ୍ରଫେସର ଗଣେସି ଲାଲ ମଧ୍ୟ ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇଛନ୍ତି | ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟ କରିବାକୁ ସମସ୍ତଙ୍କୁ ସଂକଳ୍ପବଦ୍ଧ ହେବାକୁ ଆହ୍ବାନ ଦେଇଛନ୍ତି। ତେବେ ଓଡ଼ିଶା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ |

ଓଡ଼ିଆ ଭାଷାରେ ଟୁଇଟ୍‌ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି: ଓଡ଼ିଶା ଦିବସ ଅବସରରେ ମୁଁ ପ୍ରିୟ ଦେଶବାସୀଙ୍କୁ ବିଶେଷକରି ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦ ଜଣାଉଛି। ପ୍ରଚୁର ପ୍ରାକୃତିକ ସମ୍ପଦ ଏବଂ ଦକ୍ଷ ଓ କର୍ମଠ ଲୋକଶକ୍ତି ଆଧାରରେ ଓଡ଼ିଶା, ଆମ ଅର୍ଥବ୍ୟବସ୍ଥାର ଗ୍ରୋଥ୍‌ ଇଞ୍ଜିନ୍‌ ହେବାରେ ସାମର୍ଥ୍ୟ ବହନ କରେ। ମୁଁ ଓଡ଼ିଶାର ଭାଇ ଓ ଭଉଣୀମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଓଡ଼ିଆ ଭାଷାରେ ଟୁଇଟ୍‌ କରି ଲେଖିଛନ୍ତି: ଉତ୍କଳ ଦିବସର ହାର୍ଦ୍ଦିକ ଶୁଭେଚ୍ଛା। ଏହି ଦିନ ଆମ ଦେଶର ପ୍ରଗତିରେ ଓଡ଼ିଶା, ଓଡ଼ିଆ ଜନସାଧାରଣ ଏବଂ ସଂସ୍କୃତିର ସମୃଦ୍ଧ ଅବଦାନକୁ ଜାଣିବାର ଅବସର। ଓଡ଼ିଶାବାସୀଙ୍କ ଉତ୍ତମ ସ୍ବାସ୍ଥ୍ୟ ଏବଂ ସମୃଦ୍ଧି କାମନା କରୁଛି।

ସମ୍ବନ୍ଧିତ ଖବର