ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ପବିତ୍ର ଅକ୍ଷୟ ତୃତୀୟ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଏକ ଟ୍ବିଟ୍‌ କରି ‌ଲେଖିଛନ୍ତି, ‘ପବିତ୍ର ଅକ୍ଷୟ ତୃତୀୟା ତଥା କୃଷକ ଦିବସ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଚାଷୀମାନଙ୍କ ଅକ୍ଷୀମୁଠି ଅନୁକୂଳ ଶୁଭଙ୍କର ହେଉ। ଏହି ଅବସରରେ ଚାଷୀ ଭାଇଭଉଣୀଙ୍କ ସୁଖ ଓ ସମୃଦ୍ଧିମୟ ଜୀବନ କାମନା କରୁଛି।’

 

ଅକ୍ଷୟ ତୃତୀୟା ବର୍ଷର ୪ଟି ଅତ୍ୟନ୍ତ ଶୁଭଙ୍କର ଦିନ ମଧ୍ୟରୁ ଅନ୍ୟତମ। ଅର୍ଥାତ ଏହି ଦିନରେ ବିନା କୌଣସି ଶୁଭ ମୁହୂର୍ତ୍ତରେ କେଉଁ ବି ସମୟରେ ଯେକୌଣସି ମାଙ୍ଗଳିକ କାର୍ଯ୍ୟ ସମ୍ପାଦନା କରାଯାଇପାରେ। ବିବାହ, ବ୍ରତ, ଗୃହପ୍ରବେଶ ଆଦି ସମସ୍ତ ମାଙ୍ଗଳିକ କାର୍ଯ୍ୟ ପାଇଁ ଅକ୍ଷୟ ତୃତୀୟା ଅତ୍ୟନ୍ତ ଶୁଭଙ୍କର। ଚଳିତବର୍ଷ ମେ ୩, ଅର୍ଥାତ ଆସନ୍ତାକାଲି ଏହି ଶୁଭଦିନଟି ପଡୁଛି। ଏହି ଦିନରେ ‌ଲୋକେ ସୁନା, ରୂପା, ଜାଗା, ଘର, ଗାଡ଼ି ଆଦି କିଣିବାକୁ ଅତ୍ୟନ୍ତ ଶୁଭ ବୋଲି ମାନିଥାନ୍ତି।

ଏହି ଅକ୍ଷୟ ତୃତୀୟାକୁ କେବଳ ହିନ୍ଦୁ ଧର୍ମାବିଲମ୍ବୀ ନୁହଁନ୍ତି ବରଂ ଜୈନ୍‌ ଧର୍ମର ଲୋକେ ବି ବହୁତ ମାନିଥାନ୍ତି। ଏହି ଦିନ କିଛି ବି ନୂଆ କାମ କରିବା ଶୁଭଙ୍କର ହୋଇଥାଏ। ଏହି ଦିନକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ପୌରାଣିକ କାହାଣୀ ରହିଛି। ବିଶ୍ବାସ ରହିଛି ଯେ ସତ୍ୟ ଏବଂ ତ୍ରେତେୟା ଯୁଗର ଆରମ୍ଭ ‌ଏହି ଦିନରେ ହୋଇଥିଲା ଓ ଦ୍ବାପର ଯୁବର ଶେଷ ବି ଏହି ଦିନ ହୋଇଥିଲା। ଭଗବାନ ବିଷ୍ଣୁଙ୍କ ନରନାରାୟଣ ଅବତାର ଓ ପର୍ଶୁରାମଙ୍କ ଧରା ଅବତରଣ ବି ଏହି ତିଥିରେ ହୋଇଥିଲା ବୋଲି ବିଶ୍ବାସ ରହିଛି।

ଅକ୍ଷୟ ତୃତୀୟା ଦିନ ଚଷା ଭାଇ ଅକ୍ଷୀମୁଠି ଧରି କ୍ଷେତକୁ ଯାଇଥାନ୍ତି। ସେଠାରେ ଅକ୍ଷୀମୁଠି ଅନୁକୂଳ କରି ଚାଷ କାର୍ଯ୍ୟ ଆରମ୍ଭ କରିଥାନ୍ତି। ଅକ୍ଷୟ ତୃତୀୟାରେ କ୍ଷେତ ପୂଜା ହେବା ପରେ ହିଁ ଚଷା ଭାଇ ଚାଷ କରିବା ବିଶ୍ବାସ ରହିଛି ଆମ ହିନ୍ଦୁ ଧର୍ମରେ।

ସମ୍ବନ୍ଧିତ ଖବର