ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ: ଓଡ଼ିଶାର ରେଳବାଇ ବିକାଶ ପାଇଁ ୬୫୦୦ କୋଟି ଟଙ୍କାର ବ୍ୟବସ୍ଥା ପାଇଁ ଅନୁରୋଧ

ଭୁବନେଶ୍ୱର: ଆଗାମୀ କେନ୍ଦ୍ର ବଜେଟ ପୂର୍ବରୁ ଓଡ଼ିଶାର ରେଳ ବିକାଶ ପାଇଁ ୬୫୦୦ କୋଟି ଟଙ୍କା ବ୍ୟବସ୍ଥା କରିବା ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ରେଳ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଚିଠି ଲେଖିଛନ୍ତି। କେବଳ ସେତିକି ନୁହେଁ, ଓଡ଼ିଶା ପାଇକ ବିଦ୍ରୋହର ଦୁଇଶହ ବର୍ଷ ପୂର୍ତ୍ତି ପାଳନ କରୁଥିବାରୁ ଖୋର୍ଦ୍ଧାରୁ ମୁମ୍ବାଇ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରିବା ଓ ଏହାକୁ ବକ୍ସି ଜଗବନ୍ଧୁୁଙ୍କ ନାମରେ ନାମିତ କରିବାକୁ ମୁଖ୍ୟ ମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଗୋୟଲଙ୍କୁ ପ୍ରସ୍ତାବ ଦେଇଛନ୍ତି। ରାଜ୍ୟ ସରକାର ରାଜ୍ୟରେ ରେଳର ବିକାଶ ପାଇଁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ମୁଖ୍ୟ ମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରେଳ ମନ୍ତ୍ରୀ ଶ୍ରୀ ଗୋଏଲଙ୍କୁ ପ୍ରତିଶ୍ରୁତିି ଦେବା ସହିତ ଗଞ୍ଜାମର ସୀତାପାଲି ଠାରେ ରେଳ ଓ୍ଵାଗନ(କୋଚ୍‌) କାରଖାନା ପ୍ରତିଷ୍ଠା, କଣ୍ଟାବାଞ୍ଝି ଠାରେ କଂକ୍ରିଟ୍‌ ସ୍ଲିପର ପ୍ଲାଣ୍ଟ ପ୍ରତିଷ୍ଠା, ଓ କେବିକେ ଜିଲ୍ଲାରେ ରେଲେଓ୍ଵ ଆସେଟ୍‌ ମେଣ୍ଟାନାନ୍ସ ୟୁନିଟ ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି।ଏତଦ୍‌ ବ୍ୟତୀତ ପୂର୍ବ ତଟ ରେଳପଥର ନୂଆ ଡିଭିଜନାଲ ମୁଖ୍ୟାଳୟ ରାୟଗଡ଼ା, ଯାଜପୁର-କେନ୍ଦୁଝର ରୋଡ ଏବଂ ରାଉରକେଲା ଠାରେ ଖୋଲିବାକୁ ମୁଖ୍ୟ ମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଗୋୟଲଙ୍କୁ ଅନୁରୋଧ କରିଛନ୍ତି।


ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଗୋୟଲଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ ରାଜ୍ୟରେ ରେଳ ବିକାଶ କାର୍ଯ୍ୟ ବେଶ୍‌ ମନ୍ଥର ଗତିରେ ହେଉଛି। ରାଜ୍ୟ ସରକାରଙ୍କ ସମସ୍ତ ସହଯୋଗ ସତ୍ତ୍ୱେ ରେଳ ମନ୍ତ୍ରଣାଳୟ ଓ ରେଳ ବିକାଶ ନିଗମ ଲିମିଟେଡ୍‌ ବିଭିନ୍ନ କାରଣରୁ ରାଜ୍ୟରେ ରେଳବାଇର ଭିତ୍ତିମୂମି ବିକାଶ କାର୍ଯ୍ୟକୁ ମନ୍ଥର କରୁଛନ୍ତି ବୋଳି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି।ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଓଡ଼ିଶା ବାର୍ଷିକ ପ୍ରାୟ ୧୫ହଜାର କୋଟି ଟଙ୍କାର ଅଧିକ ରାଜସ୍ୱ ରେଳବାଇକୁ ଦେଉଥିବା ବେଳେ ରାଜ୍ୟରେ ରେଳ ଭିତ୍ତିଭୂମି ଜାତୀୟ ହାର ଠାରୁ ଢ଼େର କମ୍‌ ରହିଛି। ଦେଶରେ ରେଳ ଭିତ୍ତିଭୂମି ହାର ୨୦ ଥିବା ବେଳେ ଓଡ଼ିଶାରେ ତାହା ମାତ୍ର ୧୬ ପ୍ରତିଶତ ରହିଛି। ଏପରିକି ଏହା ପଡୋଶୀ ପଶ୍ଚିମବଙ୍ଗ(୪୩.୩ ପ୍ରତିଶତ) ଓ ଝାଡଖଣ୍ଡ (୨୪.୩ ପ୍ରତିଶତ) ଠାରୁ ଯଥେଷ୍ଟ କମ୍‌ ଥିବାରୁ ଓଡ଼ିଶାର ରେଳବାଇ ଭିତ୍ତି ଭୂମି ବିକାଶ ପାଇଁ ଶ୍ରୀ ପଟ୍ଟନାୟକ ଶ୍ରୀ ଗୋୟଲଙ୍କୁ ଚିଠି ଲେଖିଛନ୍ତି।

ମୁଖ୍ୟ ମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଲେଖିଛନ୍ତି ଯେ ରାଜ୍ୟରେ ଯେଉଁ ରେଳ ବିକାଶ ହେଉଛି ତାହା ମୁଖ୍ୟତଃ । ଚେନାଇ- ହାଓଡ଼ା କୁ ସଂଯୋଗ କରୁଥିବା ରେଳ ଲାଇନ ଉପରେ ହେଉ ଥିବାରୁ ଓଡ଼ିଶାର ଅନ୍ୟ ଅଞ୍ଚର ରେଳବାଇ ଭିତ୍ତିଭୂମି ବିକାଶରୁ ବଞ୍ଚିତ ହେଉଛନ୍ତି। ତେଣୁ ମୁଖ୍ୟ ମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟର ବିଭିନ୍ନ ରେଳ ପ୍ରକଳ୍ପର ବିକାଶ ନେଇ ଏକ ସମ୍ପୂର୍ଣ୍ଣ ପ୍ରସ୍ତାବ ରେଳବାଇ ମନ୍ତ୍ରୀ ଶ୍ରୀ ଗୋୟଲଙ୍କୁ ଦେଇ ଏଥିପାଇଁ ୬୫୦୦ କୋଟି ଟଙ୍କା ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର