କେନ୍ଦୁଝର କାନୁପୁର ସ୍ପିଲ ଚ୍ୟାନେଲ ଉପରେ ବନ୍ଧ ନିର୍ମାଣ ବିଳମ୍ବ ନେଇ ଗଡ଼କରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : କେନ୍ଦୁଝର ଜିଲ୍ଲାରେ ନିର୍ମାଣାଧୀନ  କାନୁପୁର ସ୍ପିଲ ଚ୍ୟାନେଲ ଉପରେ ପ୍ରସ୍ତାବିତ ୪ ଲେନ ବ୍ରିଜ୍ ନିର୍ମାଣରେ ହେଉଥିବା ବିଳମ୍ବକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତା ପ୍ରକଟ କରିଛନ୍ତି । ଏହି ପ୍ରକଳ୍ପ ନିର୍ମାଣ କ୍ଷେତ୍ରରେ ଦେଖାଦେଇଥିବା ଅଚଳାବସ୍ଥା ଦୂର ପାଇଁ ହସ୍ତକ୍ଷେପ କରିବାକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଏକ ପତ୍ର ଲେଖି ଅନୁରୋଧ କରିଛନ୍ତି ।

କାନୁପୁର ଜଳସେଚନ ପ୍ରକଳ୍ପର ନିର୍ମାଣକାର୍ଯ୍ୟ ୨୦୦୪-୦୫ରୁ ଆରମ୍ଭ ହୋଇଥିଲେ ମଧ୍ୟ ବିଭିନ୍ନ ସମସ୍ୟା କାରଣରୁ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିନାହିଁ । ସବୁଠାରୁ ବଡ଼ ସମସ୍ୟା ହେଉଛି କାନୁପୁର ସ୍ପିଲ ଚ୍ୟାନେଲ ଉପରେ ପ୍ରସ୍ତାବିତ ୪ ଲେନ ବ୍ରିଜ୍ ନିର୍ମାଣରେ ଅଚଳାବସ୍ଥା । ଏହି ବ୍ରିଜ ପାଇଁ ପ୍ରାରମ୍ଭରେ ୪୦.୬୮ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା । ରାଜ୍ୟ ସରକାର ଓ ଏନଏଚଏଆଇ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ଏହି ପ୍ରକଳ୍ପର ୮୦ ପ୍ରତିଶତ ଅର୍ଥ ଏନଏଚଏଆଇ ବହନ କରିବ ଓ ଅବଶିଷ୍ଟ ୨୦ ପ୍ରତିଶତ ରାଜ୍ୟ ସରକାର ବହନ କରିବେ ।  କିନ୍ତୁ ପରେ ଏହି ବ୍ୟୟ ଅଟକଳକୁ ୧୦୦.୫୩ କୋଟିକୁ ବୃଦ୍ଧି କରାଯିବା ପରେ ୮୦ ପ୍ରତିଶତ ବ୍ୟୟ ଭାର ବହନ ଲାଗି ଏନଏଚଏଆଇ ରାଜି ହୋଇ ନଥିଲା । ତେବେ ଗତ ବର୍ଷ ମାର୍ଚ୍ଚ ମାସରେ ଦିଲ୍ଲୀରେ ଏନଏଚଏଆଇର ଅଧ୍ୟକ୍ଷ ଓ ଓଡ଼ିଶା ଜଳସେଚନ ବିଭାଗର ସଚିବଙ୍କ ମଧ୍ୟର ଅନୁଷ୍ଠିତ ବୈଠକରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଦୁଇପକ୍ଷ ରାଜି ହୋଇଥିଲେ । ଏଥିପାଇଁ ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା କାନୁପୁର ପ୍ରୋଜେକ୍ଟ ଅଥରିଟି କାର୍ଯ୍ୟ ବନ୍ଦ କରିବା ସହ କାମ ଚୁକ୍ତିକୁ ବାତିଲ କରିଦେଇଥିଲେ, ଯେପରିକି ଏନଏଚଏଆଇ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିପାରିବ । କିନ୍ତୁ ଇତି ମଧ୍ୟରେ ଏକ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ବି ପ୍ରକଳ୍ପ କାମ ଆରମ୍ଭ ହୋଇପାରି ନାହିଁ ।

ସମ୍ବନ୍ଧିତ ଖବର