ଭୁବନେଶ୍ବର : ଇପିଏଫ ପେନସନଭୋଗୀଙ୍କ ସର୍ବନିମ୍ନ ମାସିକ ପେନସନ ପରିମାଣକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାରଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି ।
ନିଜ ପତ୍ରରେ ସେ ଓଡ଼ିଶାର ପ୍ରାୟ ୧.୬୨ ଲକ୍ଷ ଇପିଏଫ୍ ପେନସନଭୋଗୀଙ୍କ ଦୁରାବସ୍ଥା ସଂପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ଲେଖିଛନ୍ତି ଯେ ଏହି ପେନସନଧାରୀମାନେ ନିଜର ଯୁବକ ବୟସରେ ଦେଶଗଠନ ଦିଗରେ ନିଜର ଯୋଗଦାନ ଦେଇଥିଲେ । କିନ୍ତୁ ଅବସର ନେବା ପରେ ନିଜର ପରିଣତ ବୟସରେ ସେମାନେ ଅଳ୍ପ ପେନସନରେ ଚଳିବାକୁ ବାଧ୍ୟ ହେଉଛନ୍ତି । ଏହି ସର୍ବନିମ୍ନ ପେନସନ ପରିମାଣକୁ ବୃଦ୍ଧି କରିବାକୁ ଇପିଏସ-୯୫ ପେନସନଭୋଗୀ ସଂଘ ପକ୍ଷରୁ ବାରମ୍ବାର ଦାବି ହୋଇଆସୁଛି । ସେମାନେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ନିକଟରେ ନିଜର ଦାବି କରିଆସୁଛନ୍ତି ।
୨୦୧୩ର ଭଗତ ସିଂ କୋସିୟାରି କମିଟି ମଧ୍ୟ ଇପିଏସ-୯୫ ପେନସନଭୋଗୀମାନଙ୍କ ମାସିକ ପେନସନ ପରିମାଣ ବୃଦ୍ଧି ପାଇଁ ସୁପାରିସ କରିଥିଲା । ଏହି କମିଟିର ସୁପାରିସକୁ ଲାଗୁ କରିବାକୁ ସଂଘ ପକ୍ଷରୁ ଦାବି ହୋଇଆସୁଛି ।
ଏସବୁ ଦାବିଗୁଡ଼ିକ ଉପରେ ସକାରାତ୍ମକ ଦୃଷ୍ଟିକୋଣରୁ ବିଚାର କରିବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।