କଟକ: ବିଭିନ୍ନ ଠିକା କାମ ପାଇଁ ଡକାଯାଉଥିବା ଟେଣ୍ଡରରେ ପେପର କିଣା ବାବଦରେ ସିଏମ୍‌ସି ଜିଏସ୍‌ଟି ଆଦାୟ କରୁ ନଥିବାରୁ ଲକ୍ଷାଧିକ ଟଙ୍କାର ରାଜସ୍ବ ସରକାର ହରାଉଛନ୍ତି। ଏନେଇ ଗତ ଜୁଲାଇ ୨୧ରେ ‘ଟେଣ୍ଡର୍‌ ପେପ୍‌ର କିଣା ବାବଦରେ ଆଦାୟ ହେଉନି ଜିଏସ୍‌ଟି’ ଖବର ସମ୍ବାଦରେ ପ୍ରକାଶ ପାଇଥିଲା। ଏହାପରେ ସିଏମ୍‌ସିର ସିଟି ଡିଭିଜନ୍‌ ୧ ଓ ୨ ପକ୍ଷରୁ ଚଳିତ ମାସ ୯ତାରିଖରେ ବାହାରିଥିବା ଟେଣ୍ଡର ପାଇଁ ଠିକାଦାରଙ୍କୁ ପେପର କିଣା ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଦେବାକୁ କୁହାଯାଇଛି। ୨୦୧୭ରୁ ସରକାର ଜିଏସ୍‌ଟି ଲାଗୁ କରିବା ପରେ ସିଏମ୍‌ସିରେ ପେପର କିଣା ଉପରେ ଏହାକୁ ଲାଗୁ କରାଯାଉନଥିଲା। କର୍ତ୍ତୃପକ୍ଷଙ୍କ ଠିକାଦର ପ୍ରୀତି ପାଇଁ ସରକାର ଜିଏସ୍‌ଟି ବାବଦରେ ୨୦ ଲକ୍ଷରୁ ଅଧିକ ଟଙ୍କାର ରାଜସ୍ବ ହରାଇଛନ୍ତି। ତେବେ ଏହାର ଭରଣା ଠିକାଦାର କିମ୍ବା ନିଗମ କର୍ତ୍ତୃପକ୍ଷ, କାହାଠାରୁ କରାଯିବ ତାହା ଏବେ ସାଧାରଣରେ ପ୍ରଶ୍ନ ହୋଇଛି।

Advertisment

କଟକ ମହାନଗର ନିଗମର କେବଳ ଇଂଜିନିୟରିଂ ବିଭାଗରେ ପ୍ରତି ବର୍ଷ ୭୦ରୁ ୮୦ କୋଟି ଟଙ୍କାର କାମ ହୋଇଥାଏ। ସିଏମ୍‌ସିରେ ୨୦୧୭ରୁ ୨୦୨୧, ୪ବର୍ଷ ମଧ୍ୟରେ ସିଏମ୍‌ସି ତରଫରୁ ୨୩୦ କୋଟିରୁ ଅଧିକ ଟଙ୍କାର କାମ କରାଯାଇଛି। ନିଗମର କାମ ଟେଣ୍ଡର ପ୍ରକ୍ରିୟାରେ କରାଯାଏ। ପ୍ରତି ଟେଣ୍ଡରରେ ୩ରୁ ଅଧିକ ଠିକାଦାର ଅଂଶ ଗ୍ରହଣ କରିଥାନ୍ତି। ଟେଣ୍ଡର ପକ୍ରିୟାରେ ଅଂଶ ଗ୍ରହଣ କରୁଥିବା ଠିକାଦାରଙ୍କୁ ସରକାରଙ୍କଠାରୁ ପେପର କିଣିବାକୁ ପଡିଥାଏ। ତେବେ ପେପର କିଣା ବାବଦ‌ରେ ସରକାରଙ୍କୁ ୧୨ରୁ ୧୮ ପ୍ରତିଶତ ଜିଏସ୍‌ଟି ଦେବାକୁ ହୁଏ। ରାଜ୍ୟର ଅନ୍ୟ ବିଭାଗର କାମ ପାଇଁ ପେପର କିଣା ବାବଦରେ ଜିଏସ୍‌ଟି ନିଆଯାଉଥିବା ବେଳେ ସିଏମ୍‌ସିରେ ଏହି ନିୟମକୁ ପାଳନ କରାଯାଉନଥିଲା।