ସିଏମସି କାର୍ଯ୍ୟାଳୟରେ ତାଲା ପକାଇଲେ କର୍ପୋରେଟର

କଟକ: କଟମ ମହାନଗର ନିଗମ (ସିଏମସି) କାର୍ଯ୍ୟାଳୟରେ କର୍ପୋରେଟର ତାଲା ପକାଇଛନ୍ତି। କମିସନରଙ୍କ କଥାକୁ ନେଇ ତୁମ୍ବୀ ତୋଫାନ ହୋଇଛି। ନିର୍ଦ୍ଧିଷ୍ଟ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିବାକୁ ଯାଇଥିବା କର୍ପୋରେଟରମାନଙ୍କୁ କମିସନର ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏଭଳି ଦୁର୍ବ୍ୟବହାର ପାଇଁ ତାଙ୍କର ଇସ୍ତଫା ଓ ବଦଳି ଦାବି କରି ବିଜୁ ପ୍ରତିମୂର୍ତ୍ତି ତଳେ କର୍ପୋରେଟରମାନେ କମିସନରଙ୍କ ପ୍ରତିବାଦ କରିଛନ୍ତି।

କର୍ପୋରେଟରଙ୍କ ହୋ ହାଲାରେ କମ୍ପିଲା କଟକ ମହାନଗର ନିଗମ। ସିଏମସି କମିସନର ନିଖିଲ ପବନ କଲ୍ୟାଣଙ୍କ ନାଁରେ ସଙ୍ଗିନ ଅଭିଯୋଗ ଆସିଛି। କର୍ପୋରେଟରଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ସିଏମସିରେ ତାଲା ପଡ଼ିଛି। ୫୯ଟିୱାର୍ଡର ସମସ୍ତ କର୍ପୋରେଟର ମେୟର ଓ କମିସନରଙ୍କୁ ତାଲା ପକାଇ ମୁଖ୍ୟ ଫାଟକ ଆଗରେ ଦେଲେ କମିସନର ବଦଳି ନାରା। ସବୁ କର୍ପୋରେଟଙ୍କ ମୁହଁରେ ବିରୋଧର ପ୍ରତିଛବି। ସହରର ଅନେକ ୱାର୍ଡରେ ଜେଇଙ୍କ ବଦଳି ନକରିବା ନେଇ କମିସନରଙ୍କୁ ଭେଟିବା ସମୟରେ କମିସନରଙ୍କ ଦୁର୍ବ୍ୟବହାର ଏହି ଝଡ଼ ଉଠାଇ ଥିବା କହିଛନ୍ତି କର୍ପୋରେଟର । ଏହି ସଙ୍ଗିନ ପ୍ରସଙ୍ଗରେ ସମାଧାନ ପାଇଁ ମେୟର ସୁବାସ ସିଂ ମଧ୍ୟ କରିଥିଲେ ପ୍ରୟାସ। ହେଲେ ସବୁ ପ୍ରୟାସ ବିଫଳ ହୋଇଥିଲା। ସିଧାସଳଖ ଆସନ୍ତା କାଉନ୍ସିଲ ବୈଠକ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି ସମସ୍ତ କର୍ପୋରେଟର।

ଘଟିଥିବା ଘଟଣାକୁ ନେଇ କମିସନର ଓ କର୍ପୋରେଟରଙ୍କ ମଧ୍ୟରେ ଆପୋଷ ବୁଝାମଣା କରିବା ପାଇଁ ମେୟର କରିଥିଲେ ଅକ୍ଲାନ୍ତ ପରିଶ୍ରମ। କିନ୍ତୁ ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ବୁଝାମଣା ହେଲା ବିଫଳ। ନିଜ ଜିଦରେ ଅଟଳ ରହିଥିଲେ ସମସ୍ତ କର୍ପୋରେଟର। କମିସନର ମେୟର ଆପୋସ ବୁଝାମଣା ପାଇଁ ନିଜ କାର୍ଯ୍ୟାଳୟରୁ ବାହାରି ସିଏମସିର ମୁଖ୍ୟ ଫାଟକ ପର୍ଯ୍ୟନ୍ତ ଆସିଥିଲେ ମଧ୍ୟ କର୍ପୋରେଟର ମାନେ ସେମାନଙ୍କ କଥା କରିଥିଲେ ଅଣଦେଖା। ତେବେ ଏହି ଘଟଣାକୁ ଅତି ଗୁରୁତର ସହ ନିଆଯାଇ ଏହାର ସମାଧାନ କରାଯିବ ବୋଲି କହିଛନ୍ତି ମେୟର।

ସମ୍ବନ୍ଧିତ ଖବର