କଟକ: କଟକ ମହାନଗର ନିଗମ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏବେ ସହରର ବଡ଼ ଓ ପ୍ରତିଷ୍ଠିତ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢଉ ଚାଲିଛି। ବିଭାଗ ତରଫରୁ ଗତ ୨୯ ତାରିଖରେ କନିକାଛକସ୍ଥ ରିଲାଏନ୍ସ ଫ୍ରେସରେ ଚଢଉ କରି ସିନ୍ଥେଟିକ୍ ଅଣ୍ଡା ଜବତ କରାଯାଇ ଥିବା ସମୟରେ ଆଜି ବାଦାମବାଡିସ୍ଥିତ କେଏଫ୍ସି ଉପରେ ଚଢଉ କରି ବାସି ଓ ଅପମିଶ୍ରିତ ଖାଦ୍ୟ ଜବତ କରାଯିମବା ସହିତ ସେଗୁଡିକୁ ନଷ୍ଟ କରାଯାଇଛି। ଅନ୍ୟପଟେ ସିଏମ୍ସି ପକ୍ଷରୁ ଆଜି ଅପରାହ୍ନରେ ଜଗତପୁର ନିମପୁରସ୍ଥିତ ଏକ ଲଡୁ ପ୍ରସ୍ତୁତକାରୀ କମ୍ପାନି ଉପରେ ମଧ୍ୟ ଚଢଉ କରାଯାଇଛି।
ଆଜି ଦିନ ପ୍ରାୟ ସାଢେ ୧୧ଟାରେ ସିଏମ୍ସି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବାଦାମବାଡି ଟ୍ରାଫିକ ଛକରେ ଥିବା କେଏଫ୍ସି ଉପରେ ଚଢ଼ଉ କରାଯାଇଥିଲା। ସେଠାରେ ବର୍ଗର୍ ପ୍ରସ୍ତୁତ ପାଇଁ ଥିବା ୨୦ କେଜିର ବାସି ପାଉଁରୁଟି (ବନ୍) ଓ ୧୫ କେଜିର କ୍ରିପ୍ସି ଚିକେନ୍କୁ ଜବତ କରାଯାଇଛି। ଫିମ୍ପି ମାରି ଯାଇଥିବା ପାଉଁରୁଟିରେ ବରଗର ପ୍ରସ୍ତୁତ କରି ଗ୍ରାହାକଙ୍କୁ ଦିଆଯାଉଥିବା ବେଳେ ଏକ୍ସପ୍ୟାରି ହୋଇଯାଇଥିବା କ୍ରିପ୍ସି ଚିକେନ୍କୁ ମାଇକ୍ରୋ ଓଭନରେ ଗରମ କରି ବିକ୍ରି କରାଯାଉ ଥିଲା। ଏହାକୁ ଯେପରି ଗ୍ରାହକ ଧରି ପାରିବେ ନାହିଁ ସେଥିପାଇଁ ଏଥିରେ ବିଭିନ୍ନ ପ୍ରକାର ଏସେନ୍ସ ଆଦି ବ୍ୟବହାର କରାଯାଇ ସତେଜ କରାଯାଉଥିଲା। ଜବତ ହୋଇଥିବା ଖାଦ୍ୟକୁ ନିଗମ ତରଫରୁ ନଷ୍ଟ କରାଯିବା ସହିତ ନମୁନା ପରୀକ୍ଷା ପାଇଁ ଭୁବନେଶ୍ବର ଲାବ୍ରୋଟୋରିକୁ ପଠାଯାଇଛି। ନମୁନା ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ଆବଶ୍ୟକ ପଡିଲେ ଏହାକୁ ସିଲ୍ କରାଯିବ ବୋଲି ନିଗମ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର କହିଛିନ୍ତି।
ରିପୋର୍ଟ ଆସିବା ପର୍ଯ୍ୟନ୍ତ କେଏଫ୍ସି ପକ୍ଷରୁ କୌଣସି ବ୍ୟତିକ୍ରମ କରାଯିବ ନାହିଁ ବୋଲି ପ୍ରତିଷ୍ଠାନ ପକ୍ଷରୁ ସିଏମ୍ସିରେ ଅଣ୍ଡରଟେକିଂ ଦିଆଯାଇଛି। ଆଜିର ଚଢଉରେ ସହର ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମହାପାତ୍ର, ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରତୀକ୍ଷା ଦାସମହାପାତ୍ର, ଖାଦ୍ୟ ନିରୀକ୍ଷକ ଭଗବାନ ଲେଙ୍କା ପ୍ରମୁଖ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/654fh654sf56hfhfssssssssssssss.jpg)