ଭୁବନେଶ୍ୱର: ସ୍ଵାସ୍ଥ୍ୟସେବାର ସଫଳ ରୂପାୟନ ସ୍ୱରୂପ ନୂଆପଡ଼ାଜିଲ୍ଲା ଅନ୍ତର୍ଗତ ଦୂରଦୂରାନ୍ତ ଅଞ୍ଚଳବାସୀଙ୍କ ନିମନ୍ତେ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ଚଳିତ ମାସ ୨୧ ରୁ ୨୪ ତାରିଖ ପର୍ଯ୍ୟନ୍ତ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ ସ୍ଵାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି। କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରୁ ୧୧ ଜଣ ବିଶେଷଜ୍ଞ ଏହି ଶିବିରରେ ଅବସ୍ଥାନ କରି ଉଚ୍ଚତର ଚିକିତ୍ସା ନିମନ୍ତେ ଚିହ୍ନଟ ହୋଇଥିବା ରୋଗୀମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ସେବା ଯୋଗାଇ ଦେଇଛନ୍ତି। ଶିବିର ପାଇଁ ନୂଆପଡ଼ା ଜିଲ୍ଲା  ହସ୍ପିଟାଲକୁ ଅତ୍ୟାଧୁନିକ ରୋଗ ନିରୂପଣ ଯନ୍ତ୍ରପାତି ମଧ୍ୟ ପଠାଯାଇଥିଲା।

Advertisment

ଚାରି ଦିନ ଧରି ଚାଲିଥିବା ଏହି ଶିବିରରେ ୯୪୪ ଜଣ ରୋଗୀ ଉଚ୍ଚତର ଚିକିତ୍ସା ସୁବିଧା ଲାଭ କରିଥିଲେ। ଏମାନଙ୍କ ମଧ୍ୟରେ ୟୁରୋଲୋଜି ବିଭାଗରେ ୬୯ ଜଣ, ସ୍ନାୟୁରୋଗ ବିଭାଗରେ ୩୭୪ ଜଣ, ନେଫ୍ରୋଲୋଜିରେ ୧୧୨ ଜଣ, ହୃଦରୋଗରେ ୧୬୪, ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜିରେ ୧୫୩, ଏଣ୍ଡ୍ରୋକ୍ରାଇନୋଲୋଜିରେ ୭୨ ଜଣଙ୍କର ସଫଳ ଚିକିତ୍ସା କରାଯାଇଥିଲା।  

17e3a595-de57-45c8-8475-d87bfb473a8b

କଟକ ଏସ୍.ସି.ବି ୟୁରୋଲୋଜି ବିଭାଗର ଡାକ୍ତର ପ୍ରମୋଦ, ହୃଦରୋଗ ଡାକ୍ତର ସୁଚିସ୍ମିତା, ସ୍ନାୟୁ ରୋଗର ଡାକ୍ତର ଅଶ୍ଵିନୀ, ନେଫ୍ରୋଲୋଜି ବିଭାଗର ଡାକ୍ତର ରାକେଶ, ଏବଂ ହେପାଟୋଲୋଜି ଡାକ୍ତର ଜ୍ଞାନରଞ୍ଜନ ପ୍ରମୁଖ ବରିଷ୍ଠ ବିଶେଷଜ୍ଞମାନେ ଶିବିରରେ ରୋଗୀମାନଙ୍କୁ ସିଧାସଳଖ ଚିକିତ୍ସା କରିଥିଲେ। ଏହାଛଡ଼ା ଡାକ୍ତର ଭବାନୀ ଶଙ୍କର, ଡାକ୍ତର ବିଶ୍ୱଜିତ୍, ଡାକ୍ତର ଲିଙ୍କନ, ଡାକ୍ତର ସନନ୍ଦ, ଡାକ୍ତର ସୋନାଳିକା ଏବଂ ଡାକ୍ତର ପଙ୍କଜ କୁମାର ପ୍ରମୁଖ ବିଶେଷଜ୍ଞମାନେ ରୋଗୀସେବା ବେଳେ ନିଜ ନିଜ ବିଭାଗର ବରିଷ୍ଠ ବିଶେଷଜ୍ଞଙ୍କୁ ଚିକିତ୍ସା ସମ୍ବନ୍ଧିତ ସହାୟତା କରିଥିଲେ। 

746fddab-9a64-44f7-8014-16058b7b9183
Photograph: (Sambad.in)

ବିନା ଖର୍ଚ୍ଚରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ମିଳିଥିବାରୁ ରୋଗୀମାନଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶିତ ହୋଇଛି। ଗୁରୁତର ରୋଗର ଚିକିତ୍ସା ପାଇଁ ଉପାନ୍ତ ଅଞ୍ଚଳରୁ ଭୁବନେଶ୍ୱର, କଟକ ଆଦି ସ୍ଥାନକୁ ଯିବା ବହୁ ଲୋକଙ୍କ ପକ୍ଷେ କଷ୍ଟ ସାଧ୍ୟ ଓ ବ୍ୟୟବହୁଳ ହୋଇଥିବାରୁ ନୂଆପଡ଼ା ଜିଲ୍ଲାର ବୁଦ୍ଧିଜିବୀମାନେ ରାଜ୍ୟ ସରକାରଙ୍କୁ ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟ ସେବା ଯୋଜନାର ଉତ୍ତମ କାର୍ଯ୍ୟାନ୍ଵୟନ ନିମନ୍ତେ କୃତଜ୍ଞତା ଜଣାଇଛନ୍ତି।