ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : କୋଭିଡରେ ମୃତକଙ୍କ ପରିବାରକୁ ମିଳିବ ପେନସନ, ୨୪ରୁ ଘରକୁ ଘର ବୁଲି ସର୍ଭେ କରିବେ ଆଶାକର୍ମୀ

ସରପଞ୍ଚଙ୍କୁ ମିଳିବ ଜିଲ୍ଲାପାଳ କ୍ଷମତା

ଭୁବନେଶ୍ବର : ରାଜ୍ୟର କରୋନା ସ୍ଥିତି ଉପରେ ଆଜି ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯ଼ାଇଛି । ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି ।
ରାଜ୍ୟର ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ବ୍ୟାପିବା ପରିପ୍ରେକ୍ଷୀରେ ଗାଁରେ କରୋନା ସର୍ଭେ ଓ ମୁକାବିଲା ଉପରେ ଗୁରୁତ୍ବ ଦିଆଯାଇଛି । ଏଏନଏମ ଓ ଆଶାକର୍ମୀମାନେ ଗାଁରେ ଘରକୁ ଘର ବୁଲି କରୋନା ଲକ୍ଷଣ, ଅନ୍ୟାନ୍ୟ ରୋଗ ସଂପର୍କରେ ସର୍ଭେ କରିବେ । ଏଥିପାଇଁ ସେମାନଙ୍କୁ ୧ ହଜାର ଟଙ୍କା ଲେଖାଏଁ ପ୍ରେତ୍ସାହନରାଶି ମିଳିବ । ସଂଗରୋଧ କେନ୍ଦ୍ର ଦାୟିତ୍ବରେ ଥିବା ଆଶାକର୍ମୀଙ୍କୁ ସାଇକେଲ, ଛତା, ଟର୍ଚ୍ଚ, ଚପଲ ଆଦି କିଣିବା ପାଇଁ ୧୦ ହଜାର ଟଙ୍କା ମିଳିବ । କୋଭିଡ ନିୟନ୍ତ୍ରଣ କାର୍ୟ଼୍ୟରେ ସାମିଲ ହେବ ଗାଁ କଲ୍ୟାଣ କମିଟି । ଗତ ବର୍ଷ ପରି ଏଥର ମଧ୍ୟ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରାଯ଼ିବ । ପରିସ୍ଥିତିକୁ ଦେଖି ସେମାନେ ଗାଁରେ ଲକଡାଉନ ବା କଣ୍ଟେନମେଣ୍ଟ ଜୋନ ଘୋଷଣା କରିପାରିବେ ।
ସେହିପରି କରୋନାରେ ମୃତ ପରିବାରକୁ ପେନସନ ମିଳିବ । ମା ଓ ବାପାଙ୍କୁ ହରାଇଥିବା ପିଲାମାନଙ୍କୁ ମଧୁବାବୁ ପେନସନ ଯ଼ୋଜନାରେ ସାମିଲ କରାଯ଼ିବା ସହ ମାଗଣା ଶିକ୍ଷା ମିଳିବ ।
ଅନ୍ୟପକ୍ଷରେ ରାଜ୍ୟରେ ଅକ୍ସିଜେନ ବ୍ୟବହାର ପାଇଁ ସରକାର ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବେ । ରାଜ୍ୟର ଅକ୍ସିଜେନ ଆବଶ୍ୟକତା ଉପରେ ଏକ ଟାକ୍ସଫୋର୍ସ ନଜର ରଖିବ ଓ ଆବଶ୍ୟକ ଯ଼ୋଜନା ପ୍ରସ୍ତୁତ କରିବ ।
ମୁଖ୍ୟମନ୍ତ୍ରୀ କରିଥିବା ଆଉ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା ଅନୁସାରେ ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ପର୍ୟ଼୍ୟନ୍ତ ଅର୍ଥ କରୋନା ମୁକାବିଲା ପାଇଁ ବ୍ୟୟ କରିହେବ । ଗରିବ ଲୋକଙ୍କୁ ମାସ୍କ ବଣ୍ଟନ ପାଇଁ ମିଶନଶକ୍ତି ଗ୍ରୁପମାନଙ୍କଠାରୁ ମାସ୍କ ଖରିଦ ମଧ୍ୟ ଏହି ଅର୍ଥରେ କରାଯ଼ାଇପାରିବ ।

 

ସମ୍ବନ୍ଧିତ ଖବର