ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ଗୋଟିଏ ପଟେ ଶାସକ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ସମର୍ଥକଙ୍କ ସହ ନାମାଙ୍କନ ଦାଖଲ କରିବାକୁ ଆସୁଥିବା ବେଳେ ଭାରତୀୟ ଜନତା ପାର୍ଟି ସାମ୍ବାଦିକ ସମ୍ମିଳନୀ କରି ନବ ଦାସ ହତ୍ୟା ପ୍ରସଙ୍ଗରେ ସିଧାସଳଖ ଶାସକ ବିଜେଡିକୁ ଟାର୍ଗେଟ୍‌ କରିଛି। ‘ଇଣ୍ଡିଆ ଟୁଡେ’ ପତ୍ରିକାରେ ପ୍ରକାଶ ପାଇଥିବା ‘ମର୍ଡର ଆଣ୍ଡ ଦ ଫାଷ୍ଟ ଫ୍ୟାମିଲି’ ଶୀର୍ଷକ ଲେଖାକୁ ଉଦ୍ଧୃତ କରି ରାଜ୍ୟରେ ମଧ୍ୟ ଅନୁରୂପ ଘଟଣା ଘଟିଥିବା ନେଇ ବିଜେପି ଅଭିଯୋଗ କରିଛି।

Advertisment

ବିଜେପିର ସୂଚନା ହେଲା, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇ. ଏସ୍‌. ଜଗନମୋହନ ରେଡ୍ଡିଙ୍କ କାକା ୱାଇ. ଏସ୍‌. ବିବେକାନନ୍ଦ ରେଡ୍ଡିଙ୍କ ରହସ୍ୟଜନକ ମୃତ୍ୟୁ ପରେ ଲୋଭନୀୟ ଅଫର୍‌କୁ ପ୍ରତ୍ୟାଖ୍ୟାନ କରି ତାଙ୍କ ଝିଅ ସୁନୀତା ନ୍ୟାୟ ପାଇଁ କିଭଳି ଲଢ଼େଇ କରିଥିଲେ। ସିବିଆଇ ଏହି ମାମଲାର ତଦନ୍ତ ପରେ ସତ ସାମ୍ନାକୁ ଆଣିଥିଲେ। ବିଜେଡି ଟିକଟ ମିଳିବା ପରେ ସ୍ୱର୍ଗତ ନବ ବାବୁଙ୍କ ଝିଅ ଦୀପାଳି ନ୍ୟାୟ ପାଇଁ ଲଢ଼େଇ କରିବେ ନା ନିରବ ହୋଇ ରହିବେ ବୋଲି ବିଜେପି ପ୍ରଶ୍ନ କରିଛି। ନ୍ୟାୟ ଦେବା ପରିବର୍ତ୍ତେ କେବଳ ଅନୁକମ୍ପା ଓ ସହାନୁଭୂତି ଆଧାରରେ ଭୋଟ ହାତେଇବାରେ ମୁଖ୍ୟମନ୍ତ୍ରୀ ଲାଗି ପଡ଼ିଥିବା ମଧ୍ୟ ବିଜେପି ଅଭିଯୋଗ କରିଛି। ବିଜେପି ମୁଖପାତ୍ର ମନୋଜ ମହାପାତ୍ରଙ୍କ ସହ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନୀଲ ପଣ୍ଡା, ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଓମପ୍ରକାଶ ମିଶ୍ର ଏବଂ ଜିଲ୍ଲା ସାଧାରଣ ସଂପାଦକ ବିମଳେନ୍ଦୁ ଭୋଳ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।