ଖରାପ ପାଗ ଯୋଗୁଁ ଲାଞ୍ଜିଗଡ଼ରେ ନ ଓହ୍ଲାଇ ଜୟପୁରରେ ଓହ୍ଲାଇଲା ମୁଖ୍ୟମନ୍ତ୍ରୀଙ୍କ ବିମାନ; ୧ ଘଣ୍ଟା ବିଳମ୍ବରେ ଆରମ୍ଭ ହେବ ରାୟଗଡ଼ା ଗସ୍ତ କାର୍ଯ୍ୟକ୍ରମ

ଭୁବନେଶ୍ୱର: ବୁଧବାର ଦିନ ପାଗ ଖରାପ ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାତ୍ରା କରୁଥିବା ବିମାନଟି ଲାଞ୍ଜିଗଡ଼ ଠାରେ ଅବତରଣ କରି ନ ପାରିବାରୁ ଜୟପୁର ଠାରେ ଅବତରଣ କରିଛି। ସେଠାରୁ ମୁଖ୍ୟମନ୍ତ୍ରୀ ଖୁବ୍‌ ଶୀଘ୍ର ହେଲିକପ୍ଟର୍‌ ଯୋଗେ ରାୟଗଡ଼ା ଯାତ୍ରା କରିବେ।

ସେଠାରେ ଆୟୋଜନ କରାଯାଇଥିବା ଏକ ମହିଳା ସଶକ୍ତିକରଣ ମହା ସମାବେଶରେ ନିର୍ଦ୍ଧାରିତ ସମୟର ଏକ ଘଣ୍ଟା ବିଳମ୍ବରେ ଯୋଗ ଦେବେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖଲିଗୁଡ଼ା ଠାରେ ଆୟୋଜିତ ସମାବେଶରେ ରାୟଗଡ଼ା ଜିଲ୍ଲାର ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସିଡ୍‌ମନି ସହାୟତା ପାଇଥିବା ୬୭୨୯ଟି ସ୍ୱୟଂ ସହାୟକ ଗୋଷ୍ଠୀ, ୨ କୋଟି ୨୦ ଲକ୍ଷ ଟଙ୍କା ଡିଜିଟାଲ୍‌ ସଶକ୍ତିକରଣ ନିମନ୍ତେ ପାଇଥିବା ୬୭୩୫ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ୨ କୋଟି ୭୫ ଲକ୍ଷ ଟଙ୍କା ସହାୟତା ପାଇଥିବା ୧୧ଟି ବ୍ଲକ୍‌ସ୍ତରୀୟ ମହାସଂଘର ସଦସ୍ୟାମାନଙ୍କ ସହ କଥାବାର୍ତ୍ତା କରିବେ।ତା’ପରେ ସେ ୧୪୪ଟି ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ ମିସନ୍‌ ଶକ୍ତି ଗୃହ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ଦେବେ।

ଏହାଛଡ଼ା ମୁଖ୍ୟମନ୍ତ୍ରୀ ୫୩୨ କୋଟି ୫୮ ଲକ୍ଷ ୫୧ ହଜାର ଟଙ୍କା ବ୍ୟୟ ଅଟକଳ ହୋଇଥିବା ୪୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ୨୦୪ କୋଟି ୮୪ ଲକ୍ଷ ୩୭ ହଜାର ଟଙ୍କା ବ୍ୟୟରେ ନିର୍ମିତ ୪୧ଟି ପ୍ରକଳ୍ପର ଲୋକାର୍ପଣ କରିବେ।

ସମାବେଶରେ ସେ ୧୫୦୦ ଜଣ ନିର୍ମାଣ ଶ୍ରମିକଙ୍କୁ ସାଇକେଲ୍‌, ୧୧୮୯ ଜଣଙ୍କୁ ମଧୁବାବୁ ପେନ୍‌ସନ୍‌, ୧୨୯୭ ଜଣଙ୍କୁ ଜଙ୍ଗଲ ଜମି ଅଧିକାର ପଟ୍ଟା ପ୍ରଦାନ କରିବେ।

ସମ୍ବନ୍ଧିତ ଖବର