ଭୁବନେଶ୍ବର: ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ଡାଇରିଆ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି। ଜନଜୀବନ ସ୍ୱାଭାବିକ ସ୍ଥିତିକୁ ଫେରୁଛି। ବିଭିନ୍ନ ବିଭାଗର ସମନ୍ୱିତ ପ୍ରୟାସ ଯୋଗୁଁ ଡାଇରିଆ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଛି। ପରିସ୍ଥିତି ଯେପରି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣାଧୀନ ରହିବ, ସେଥିପାଇଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ମେଡିକାଲ କଲେଜ ଯାଏଁ ଚିକିତ୍ସା ସେବାକୁ ବର୍ତ୍ତମାନ ପରି ସମନ୍ୱିତ ଭାବରେ କାର୍ଯ୍ୟକ୍ଷମ ରଖିବା ଲାଗି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟର ୬ଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖା ଦେଇଥିବା ଡାଇରିଆ ପରିସ୍ଥିତି ଓ ଏହାର ନିୟନ୍ତ୍ରଣ ନେଇ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଜି ଲୋକସେବା ଭବନରେ ସମୀକ୍ଷା କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ ଓ ନୂତନ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି।
ଯେଉଁଠାରେ ରୋଗର ଆଶଙ୍କା ଅଛି କିନ୍ତୁ ମାମଲା ନାହିଁ, ସେଠାରେ ଆଗୁଆ ପ୍ରତିରୋଧକ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି। ଦଶହରା ପର୍ଯ୍ୟନ୍ତ ସମସ୍ତ ପ୍ରଭାବିତ ଓ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳମାନଙ୍କରେ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ସମସ୍ତ ଶିକ୍ଷାନୁଷ୍ଠାନରେ ପାନୀୟ ଜଳର ବିଶୋଧନ ପ୍ରକ୍ରିୟା ଚାଲୁରହିଛି। କୌଣସି ସ୍କୁଲରେ ପିଲା ଯେପରି ରୋଗରେ ନ ପଡ଼ନ୍ତି ସେଥିପାଇଁ ସମସ୍ତ ଶିକ୍ଷାନୁଷ୍ଠାନକୁ ସମସ୍ତ ନିୟମାବଳୀ ପାଳନ କରି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ସ୍ଥାନଗୁଡ଼ିକରେ ଷ୍ଟ୍ରିଟ୍ ଫୁଡ୍ ବିକ୍ରି ହେଉଛି, ସେଠାରେ ଖାଦ୍ୟର କଡ଼ାକଡ଼ି ଯାଞ୍ଚ କରାଯିବା ଜରୁରି। ସେହି ଅଞ୍ଚଳଗୁଡ଼ିକୁ ବିଶୋଧନ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯିବା ଦରକାର। ସମସ୍ତ ଗାଁ ଗହଳି ଅଞ୍ଚଳରେ ନଳକୂପଗୁଡ଼ିକର ବିଶୋଧନ ଓ ପାନୀୟ ଜଳର ପରୀକ୍ଷା କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।
ଝାଡ଼ାବାନ୍ତି ନିୟନ୍ତ୍ରଣାଧୀନ
୩୮୯୨ ଆକ୍ରାନ୍ତ, ୨୫୪ ଚିକିତ୍ସାଧୀନ
ସରକାରୀ ସୂଚନା ଅନୁସାରେ, ରାଜ୍ୟର ସମସ୍ତ ପ୍ରଭାବିତ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୩୮୯୨ ଜଣ ଡାଇରିଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତହିଁରୁ ୩୫୪୩ ଜଣ ସୁସ୍ଥ ହୋଇଥିବା ବେଳେ ୨୫୪ ଜଣ ଚିକିତ୍ସାଧୀନ ଅଛନ୍ତି। ରାଜ୍ୟବ୍ୟାପୀ ସୂଚନା-ଶିକ୍ଷା-ସଂଚାର (ଆଇଇସି) ମାଧ୍ୟମରେ ଜନସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରାଯାଇଛି। ମିସନ୍ ଶକ୍ତି ବିଭାଗ ପକ୍ଷରୁ ଡାଇରିଆ ନିବାରଣ ପାଇଁ ମହିଳା ଏସ୍ଏଚ୍ଜି ସଦସ୍ୟଙ୍କ ମାଧ୍ୟମରେ ସଚେତନତା ଅଭିଯାନ ଜାରି ରହିଛି। ଆଶା ଦିଦି, ଅଙ୍ଗନବାଡ଼ି କର୍ମୀ, ମହିଳା ଏସ୍ଏଚ୍ଜି ସଦସ୍ୟା ସମସ୍ତ ପରିବାରଙ୍କ ନିକଟରେ ସଚେତନତା ବାର୍ତ୍ତା ପହଞ୍ଚାଇବା ପାଇଁ ଅଭିଯାନରେ ସକ୍ରିୟ ଭାବରେ ସଂଶ୍ଲିଷ୍ଟ ଅଛନ୍ତି। ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ସ୍ୱାସ୍ଥ୍ୟ ସଚିବ ଅଶ୍ୱଥି ଏସ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ମହିଳା ଓ ଶିଶୁ ସୁରକ୍ଷା ବିଭାଗ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବମାନେ ଉପସ୍ଥିତ ଥିଲେ।