ଦଶପଲ୍ଲା: ବୋଲ ମାନୁନି ସିସିଏମ୍ଏସ୍ ମେସିନ୍। କେଉଁଠି ଦିନ ସାରା ଜଳୁଛି ତ ପୁଣି କେଉଁଠି ରାତିସାରା ଅନ୍ଧାର ହୋଇ ରହୁଛି ଷ୍ଟ୍ରିଟ୍ ଲାଇଟ୍। ରକ୍ଷଣାବେକ୍ଷଣ ପାଇଁ କୌଣସି କର୍ମଚାରୀ ନଥିବା ବେଳେ ଦିନକୁ ଦିନ ଚୋରି ହୋଇ ଚାଲିଛି ଷ୍ଟ୍ରିଟ୍ ଲାଇଟ୍। ଏଭଳି ଅବସ୍ଥାରେ ଦଶପଲ୍ଲା ଏନ୍ଏସିରେ କାର୍ଯ୍ୟ କରୁଛି ଆଲୋକୀକରଣ ବ୍ୟବସ୍ଥା। ଏ ନେଇ ବିଭିନ୍ନ ୱାର୍ଡବାସୀ ଅଭିଯୋଗ କରିଥିବା ବେଳେ କେହି ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି।
ସୂଚନା ଅନୁଯାୟୀ, ଦଶପଲ୍ଲା ଏନ୍ଏସି ଗଠନ ହେବା ପରେ ବିଭିନ୍ନ ୱାର୍ଡରେ ଆଲୋକ ବ୍ୟବସ୍ଥା ପାଇଁ ଟେଣ୍ତର୍ ପ୍ରକାଶ ପାଇଥିଲା। ଟେଣ୍ତର୍ ମୁତାବକ ଏକ କମ୍ପାନି ଏହାର ଦାୟିତ୍ବ ନେଇଥିଲା। ୧୬ ଗୋଟି ୱାର୍ଡରେ ପ୍ରାୟ ୧ ହଜାର ୪ ଶହରୁ ଊର୍ଦ୍ଧ୍ବ ଷ୍ଟ୍ରିଟ୍ ଲାଇଟ୍ ସଂଯୋଗ କରାଯାଇଥିଲା। ଠିକ୍ ସମୟରେ ବଲ୍ବଗୁଡ଼ିକ ଜଳିବା ଓ ଲିଭିବା ପାଇଁ ସିସିଏମ୍ଏସ୍ ମେସିନ୍ ମଧ୍ୟ ବିଭିନ୍ନ ୱାର୍ଡରେ ସଂଯୋଗ କରାଯାଇଥିଲା। ମାତ୍ର ଅଧିକାଂଶ ୱାର୍ଡରେ ଆଉ ଏହି ସିସିଏମ୍ଏସ୍ ମେସିନ୍ ଠିକ୍ରେ କାମ କରୁନଥିବା ଦେଖିବାକୁ ମିଳିଛି। ଏପଟେ ପାଉଣା ନେଇ ଠିକାସଂସ୍ଥା ଛୁ ମାରିବା ପରେ ଏହା ଏବେ ଅଚଳାବସ୍ଥା ପାଲଟିଛି। କେଉଁଠି ଦିନ ସାରା ବଲ୍ବଗୁଡ଼ିକ ଜଳୁଛି ତ ପୁଣି କେଉଁଠି ରାତିସାରା ଅଧିକାଂଶ ବଲ୍ବ ନ ଜଳି ଅନ୍ଧାର ହୋଇ ରହୁଛି। ଏହାର ସୁଯୋଗ ନେଇ ବିଭିନ୍ନ ସ୍ଥାନରୁ ଅନେକ ବଲ୍ବ ଚୋରି ହୋଇଗଲାଣି। ନିୟମ ଅନୁଯାୟୀ ଏହାର ରକ୍ଷଣାବେକ୍ଷଣା ପାଇଁ ଉକ୍ତ ସଂସ୍ଥା ଓ ଏନ୍ଏସି କର୍ତ୍ତୃପକ୍ଷ ବୁଝାସୁଝା କରିବାର ନିୟମ ନଥିବା ବେଳେ ଏଥି ପ୍ରତି କେହି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହେଉଛି। ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।