ଭୁବନେଶ୍ବର: ତୈଳ ଓ ଗ୍ୟାସ କମ୍ପାନିଗୁଡ଼ିକ ସିଏନ୍ଜି ଦାମ୍ ହ୍ରାସ କରିଛନ୍ତି। ରାଷ୍ଟ୍ରାୟତ୍ତ କମ୍ପାନି ଗେଲ୍ କିଲୋଗ୍ରାମ ପିଛା ଦାମ୍ ୨ ଟଙ୍କା ୫୦ ପଇସା କମାଇଛି। ଫଳରେ ସିଏନ୍ଜି ମୂଲ୍ୟ କିଗ୍ରା ପିଛା ଭୁବନେଶ୍ବରରେ ୮୭ ଟଙ୍କା ୨୬ ପଇସାକୁ ଏବଂ କଟକରେ ୮୭ ଟଙ୍କା ୬୦ ପଇସାକୁ ଖସିଆସିଛି। ଭୁବନେଶ୍ବରରେ ୧୫ଟି ଏବଂ କଟକରେ ୧୧ଟି ସିଏନ୍ଜି ଫିଲିଂ ଷ୍ଟେସନ ରହିଛି। ପ୍ରାୟ ୬ ହଜାର ଗାଡ଼ି ଏହି ଦୁଇ ସହରରେ ସିଏନ୍ଜିରେ ଚାଲୁଛି। ଦୈନିକ ୨୭,୦୦୦ କିଗ୍ରା ସିଏନ୍ଜି ଏହି ଦୁଇ ସହରରେ ଥିବା ଫିଲିଂ ଷ୍ଟେସନଗୁଡ଼ିକ ବିକ୍ରି କରୁଛନ୍ତି। ସିଏନ୍ଜି ମୂଲ୍ୟ ହ୍ରାସ ଫଳରେ ଏହି ଇନ୍ଧନରେ ସଂପ୍ରତି ଚଳାଚଳ କରୁଥିବା ପ୍ରାୟ ୬ ହଜାର ଅଟୋ, କାର୍ ଏବଂ ବସ୍ ଉପକୃତ ହେବେ।
ଏଥିସହିତ ପୂର୍ବରୁ ମହାନଗର ଗ୍ୟାସ ଲିମିଟେଡ (ଏମ୍ଜିଏଲ୍), ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ (ଆଇଜିଏଲ୍) ସିଏନ୍ଜି ଦାମ୍ କିଲୋଗ୍ରାମ ପିଛା ୨ ଟଙ୍କା ୫୦ ପଇସା ହ୍ରାସ କରିଥିଲେ। ଟରଣ୍ଟୋ ଗ୍ୟାସ୍ ମଧ୍ୟ ସିଏନ୍ଜି ଦାମ ହ୍ରାସ କରିଛି। ଫଳରେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ସମେତ ଦେଶର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ସିଏନ୍ଜି ଦାମ୍ କମିଛି। ପେଟ୍ରୋଲ ଏବଂ ଡିଜେଲ ତୁଳନାରେ ସିଏନ୍ଜି କମ୍ ପ୍ରଦୂଷଣ ସୃଷ୍ଟିକାରୀ ଗ୍ୟାସ। ଏଥିସହିତ ଏଥିରେ ଗାଡ଼ି ଚଳାଇଲେ ଇନ୍ଧନ ବାବଦ ଖର୍ଚ୍ଚ ଅପେକ୍ଷାକୃତ କମ୍ ରହିଥାଏ। ବର୍ତ୍ତମାନର ମୂଲ୍ୟ ହ୍ରାସ ପରେ ପେଟ୍ରୋଲ ଏବଂ ଡିଜେଲ ତୁଳନାରେ ସିଏନ୍ଜିର ବ୍ୟବହାର ବୃଦ୍ଧି ପାଇବା
ସମ୍ଭାବନା ସୃଷ୍ଟି ହୋଇଛି।